ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଅନୁଷ୍ଠିତ ହୋଇଯାଇଛି ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’। ପୁରୀ ସଂସ୍କୃତି ଭବନ ସ୍ଥିତ ଲଲିତ କଳା ଏକାଡେମୀ ପରିସରରେ ଅଗଷ୍ଟ ୧୪ ତାରିଖରୁ ୨୦ ତାରିଖ ଯାଏଁ ଏହି ଫଟୋଗ୍ରାଫି ଫେଷ୍ଟିଭାଲ ଚାଲିଥିଲା। ରବିବାର ଏହା ଉଦଯାପିତ ହୋଇଛି। କୋଲକାତାର ‘ଥାର୍ଡ ଆଇ ଫଟୋଗ୍ରାଫି’ ଗ୍ରୁପ ପକ୍ଷରୁ ଏହି ଫେଷ୍ଟିଭାଲର ଆୟୋଜନ କରାଯାଇଥିଲା।

ଏହି ଫଟୋଗ୍ରାଫି ଫେଷ୍ଟିଭାଲର ଉଦଯାପନୀ କାର୍ଯ୍ୟକ୍ରମରେ ବିଶିଷ୍ଟ କବି ତଥା ପ୍ରଶାସକ ମଧୁସୂଦନ ଦାଶ, ପ୍ରଫେସର ବସନ୍ତ କୁମାର ପଣ୍ଡା ଏବଂ ବିଶିଷ୍ଟ ସିନେମା ନିର୍ଦେଶକ ହିମାଂଶୁ ଖଟୁଆ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଫେଷ୍ଟିଭାଲ ଆୟୋଜନ କମିଟିର ଅଧ୍ୟକ୍ଷ ଡକ୍ଟର ମିହିର କୁମାର ସାହୁ ପରିଚାଳନା କରିଥିଲେ।

ଏହି ଉଦଯାପନୀ କାର୍ଯ୍ୟକ୍ରମଟି ‘କୈଶୋରର କାରିଗରୀ’ ଥିମରେ ଆୟୋଜିତ ହୋଇଥିଲା। ଫେଷ୍ଟିଭାଲ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଜାତୀୟସ୍ତରୀୟ ଅନଲାଇନ ଚିତ୍ରକଳା ଓ ଫଟୋଗ୍ରାଫି ପ୍ରତିଯୋଗୀତାରେ ସଫଳ ପ୍ରତିଯୋଗୀଙ୍କୁ ଏଠାରେ ପୁରସ୍କାର ପ୍ରଦାନ କରାଯାଇଥିଲା।

“ଓଡ଼ିଶା ଓ ପଶ୍ଚିମବଙ୍ଗର କଳା, ସଂସ୍କୃତି ଏବଂ ଐତିହ୍ୟ ମଧ୍ୟରେ ଅନେକ ସମନ୍ଵୟ ରହିଛି। ଏହା ମତେ ସବୁବେଳେ ଆକର୍ଷିତ କରିଆସିଛି। ପ୍ରଥମଥର ପାଇଁ ପୁରୀରେ ଏଭଳି ଏକ ଫଟୋଗ୍ରାଫି ଫେଷ୍ଟିଭାଲ ଆୟୋଜନ କରି ମତେ ବହୁତ ଖୁସି ଲାଗୁଛି। ଆମକୁ ଏଠାରେ ବହୁତ ସମ୍ମାନ ମିଳିଛି। ଏହି ଫେଷ୍ଟିଭାଲ ମାଧ୍ୟମରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ସାଂସ୍କୃତିକ ସମ୍ପର୍କ ଆହୁରି ନିବିଡ଼ ହେବ ବୋଲି ମୋର ଆଶା”, କହିଛନ୍ତି ଥାର୍ଡ ଆଇ ଫଟୋଗ୍ରାଫି ଗ୍ରୁପର ନିର୍ଦେଶକ ଅତନୁ ପଲ।

ଏହି ୭ ଦିନିଆ ଫଟୋଗ୍ରାଫି ଫେଷ୍ଟିଭାଲରେ ଅନେକ ସୁନ୍ଦର ଫଟୋ ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟର କଳା, ସଂସ୍କୃତି, ସ୍ଥାପତ୍ୟ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ ଆଦି ବିଭିନ୍ନ କ୍ଷେତ୍ରର ଉତ୍କୃଷ୍ଟ ଫଟୋଗୁଡ଼ିକ ଏଠାରେ ପ୍ରଦର୍ଶିତ ହୋଇଥିଲା। ଏହାସହ କୋଲକାତାର ଦୁର୍ଗାପୂଜାର ଐତିହ୍ୟକୁ ନେଇ ଏଠାରେ ବିଶେଷ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

ଫେଷ୍ଟିଭାଲକୁ ଆହୁରି ବ୍ୟାପକ କରିବା ପାଇଁ ଏଠାରେ ଫଟୋ ପ୍ରଦର୍ଶନୀ ସହ ସାହିତ୍ୟ ଚର୍ଚ୍ଚା, ବ୍ୟଙ୍ଗ କବିତା, ନୃତ୍ୟ ସଙ୍ଗୀତ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୭ ଦିନର ଫେଷ୍ଟିଭାଲରେ ପ୍ରତିଦିନ ଏକ ସ୍ଵତନ୍ତ୍ର ଥିମରେ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜିତ ହୋଇଥିଲା।

ଅଗଷ୍ଟ ୧୯ରେ ବିଶ୍ଵ ଫଟୋଗ୍ରାଫି ଦିବସ ଉପଲକ୍ଷେ ଏହି ଫେଷ୍ଟିଭାଲର ଆୟୋଜନ କରାଯାଇଥିଲା। ଫାଇନ ଆର୍ଟ କ୍ଷେତ୍ରରେ ଫଟୋଗ୍ରାଫିର ମହତ୍ତ୍ଵ ବିଷୟରେ ଲୋକମାନଙ୍କୁ ସଚେତନ କରିବା ଏହାର ମୂଳ ଉଦ୍ଦେଶ୍ୟ ରହିଥିଲା।

ଏହି ଫଟୋଗ୍ରାଫି ଫେଷ୍ଟିଭାଲରେ ପ୍ରତିଦିନ ସକାଳ ୧୧ଟା ୩୦ରୁ ଅପରାହ୍ଣ ୫ଟା ଯାଏଁ ଫଟୋ ପ୍ରଦର୍ଶନୀ ହୋଇଥିଲା। ଏହାପରେ ଅପରାହ୍ଣ ୫ଟାରୁ ସନ୍ଧ୍ୟା ୭ଟା ଯାଏଁ ‘କଲ୍ଚରାଲ୍ ଆଡ୍ଡା’ ନାମରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏଠାରେ ଓଡ଼ିଶାର ସଂସ୍କୃତି, ଅତୁଲ୍ୟ ଭାରତ ଓ ଫଟୋଗ୍ରାଫିର ଇତିହାସ ଉପରେ ‘ସ୍ଲାଇଡ୍ ସୋ’ ମାଧ୍ୟମରେ ବିଭିନ୍ନ ଫଟୋ ପ୍ରଦର୍ଶିତ ହୋଇଥିଲା।

ଏହି ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲକୁ ଅଗଷ୍ଟ ୧୪ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ଏବଂ ଓଡ଼ିଶାଲାଇଭ୍’ର ମୁଖ୍ୟ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ ଉଦଘାଟନ କରିଥିଲେ।

ଫେଷ୍ଟିଭାଲରେ ବିଭିନ୍ନ ଦିନରେ ବିଶିଷ୍ଟ ସାହିତ୍ୟିକ ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଚିତ୍ରକାର ରବି ନାରାୟଣ ରଥ, କବି ରାଜେନ୍ଦ୍ର କିଶୋରେ ପଣ୍ଡା, ବରିଷ୍ଠ  ସାମ୍ବାଦିକ ଅସିତ ମହାନ୍ତି, ଲେଖିକା ମନୋରମା ବିଶ୍ଵାଳ ମହାପାତ୍ର, ବରିଷ୍ଠ କଥାକାର ଦାଶ ବେନହୁର ଏବଂ ସମୀର ମହାନ୍ତିଙ୍କ ଭଳି ରାଜନେତା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହ ଥାର୍ଡ ଆଇ ଫଟୋଗ୍ରାଫି ଗ୍ରୁପର ୫୦ରୁ ଅଧିକ ସଦସ୍ୟ ଫେଷ୍ଟିଭାଲରେ ଉପସ୍ଥିତ ରହିଥିଲେ।

Tags: #ThirdEyePhotographyFestival #Photography #PhotoExabition #Finearts #Puri

Comment