ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ଶ୍ରାବଣ-ଶୁକ୍ଳ ସପ୍ତମୀରେ ଶ୍ରୀଜିଉଙ୍କ ବନକଲାଗି ପାଇଁ ତିଥି ଧାର୍ଯ୍ୟ କରାଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ବନକଲାଗି ନୀତି ପାଇଁ ବୁଧବାର ଶ୍ରୀମନ୍ଦିରରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ ରହିବ। ରାତି ୧୦ଟା ପରେ ଦର୍ଶନ ସ୍ଵାଭାବିକ ହେବ। ଏହି ସମୟରେ ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କ ବନକଲାଗି ନୀତି କରିବେ।

ବନକଲାଗି ନୀତି ପାଇଁ ପହୁଡ଼ ଆଳତି ପରେ ଜୟ-ବିଜୟ ଦ୍ଵାର ବନ୍ଦ କରାଯାଇଥାଏ। ଏହାପରେ ଦତ୍ତ ମହାପାତ୍ର ସେବକମାନେ ବନକପେଡ଼ି ସହ ରତ୍ନ ସିଂହାସନକୁ ଉଠି ବନକଲାଗି କରିଥାନ୍ତି। ବନକଲାଗି ପାଇଁ ୩ ଖଣ୍ଡ ଶ୍ରୀକପଡ଼ା, ହିଙ୍ଗୁଳ ଓ ହରିତାଳ ଆଦି ରଙ୍ଗ ବ୍ୟବହାର କରାଯାଇଥାଏ। ବନକଲାଗି ସରିବା ପରେ ପୂଜାପଣ୍ଡା ସେବକମାନେ ତଳେ ବସି ବଡ଼ଠାକୁରଙ୍କୁ ପଞ୍ଚାମୃତରେ ମହାସ୍ନାନ କରାଇଥାନ୍ତି।

ଏହାପୂର୍ବରୁ ଅଗଷ୍ଟ ୯ ତାରିଖରେ ଶ୍ରୀଜିଉଙ୍କ ବନକଲାଗି ନୀତି ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ନିଯୋଗ ଭିତରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବାପରେ ଏହି ନୀତି କରାଯାଇଥିଲା। ବିବାଦ ଯୋଗୁଁ ଚଳିତବର୍ଷ ନୀଳାଦ୍ରୀ ବିଜେଠାରୁ ମହାପ୍ରଭୁଙ୍କ ବନକଲାଗି ହୋଇନଥିଲା।

Tags: #Srimandir #BanakalagiRitual #SriJagannath #Tradition #Culture #Puri

Comment