ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୮ ଜଣଙ୍କୁ ମେଘାଭି ୱେଲନେସ୍ କମ୍ପାନିରେ ନିଯୁକ୍ତି ସୁଯୋଗ ମିଳିଛି। ସେମାନଙ୍କ ଭିତରେ ୩୦ ଜଣ ଛାତ୍ରୀ ଓ ୮ ଜଣ ଛାତ୍ର ଅଛନ୍ତି।

ଏହି ସଫଳତା ପାଇଁ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏବେ କ୍ୟାମ୍ପସ ସିଲେକ୍ସନ କାର୍ଯ୍ୟକ୍ରମ ଚାଲିଛି। ଏହି କ୍ରମରେ ଭାରତର ପ୍ରମୁଖ ସ୍ପା’ ସେବା ପ୍ରଦାନକାରୀ ସଂସ୍ଥା ‘ମେଘାଭି’ରେ ୩୮ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି। ସେଥିମଧ୍ୟରେ ‘ବ୍ୟୁଟି ୱେଲନେସ୍ ଆଣ୍ଡ୍ ସ୍ପା’ ବିଷୟରୁ ୧୮ ଜଣ ଏବଂ ‘ହେୟାର ଫ୍ୟାସନ ଆଣ୍ଡ ଡିଜାଇନ’ରୁ ୨୦ ଜଣ ଅଛନ୍ତି।

‘ବ୍ୟୁଟି ଆଣ୍ଡ ୱେଲନେସ୍’ କ୍ଷେତ୍ରରେ ଅତ୍ୟାଧୁନିକ ସ୍ପା’ ସେବା ପ୍ରଦାନକାରୀ ସଂସ୍ଥା ଭାବେ ସାରା ଦେଶରେ ‘ମେଘାଭି’ର ସ୍ୱତନ୍ତ୍ର ପରିଚୟ ରହିଛି। ଭାରତର ପ୍ରମୁଖ ୧୫ଟି ସହରରେ ଏହି ସଂସ୍ଥାର ୫୦ରୁ ଅଧିକ ଆଉଟଲେଟ୍ ରହିଛି। ତା’ଛଡ଼ା ଏହି ସଂସ୍ଥା ଭାରତର ବିଭିନ୍ନ ସ୍ଥାନରେ ଥିବା ପ୍ରମୁଖ ହୋଟେଲଗୁଡ଼ିକୁ ସ୍ପା’ ସେବା ଯୋଗାଇ ଦେଉଛି।

ନିଯୁକ୍ତି ପାଇଥିବା ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନେ ‘ମେଘାଭି’ର ବିଭିନ୍ନ ଆଉଟଲେଟରେ କାମ କରିବା ସହ ଏହି କମ୍ପାନି ମାଧ୍ୟମରେ ଭାରତର ବିଭିନ୍ନ ସ୍ଥାନରେ ଥିବା ପ୍ରମୁଖ ହୋଟେଲ ଚେନରେ ମଧ୍ୟ କାମ କରିପାରିବେ।

ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏବେ ବ୍ୟୁଟି, ୱେଲନେସ୍ ଏବଂ ସ୍ପା ଆଦି ସେବା କ୍ଷେତ୍ର ଲାଗି ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଛି। ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ଥିବା ‘ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା’ ଏବଂ ‘ହେୟାର ଫ୍ୟାସନ ଆଣ୍ଡ ଡିଜାଇନ’ ଭଳି ଅତ୍ୟାଧୁନିକ ବିଷୟରେ ଫିନିସିଙ୍ଗ୍ ସ୍କୁଲ ଢାଞ୍ଚାରେ ଛାତ୍ରଛାତ୍ରୀମାନଙ୍କୁ ଏଥିପାଇଁ ତାଲିମ ଦିଆଯାଉଛି।

ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ‘ମେଘାଭି’ କମ୍ପାନି ବିଶ୍ୱ ଦକ୍ଷତା କେନ୍ଦ୍ରରୁ କ୍ୟାମ୍ପସ ସିଲେକ୍ସନ ଜରିଆରେ ଛାତ୍ରଛାତ୍ରୀଙ୍କୁ ଚୟନ କରି ଭାରତର ବିଭିନ୍ନ ସ୍ଥାନରେ ନିଯୁକ୍ତି ସୁଯୋଗ ଦେବ। ଏଥିପାଇଁ ନିକଟରେ ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ମେଘାଭି ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷର ହୋଇଛି।

Tags: #WorldSkillCenter #Bhubaneswar #Career #Employment #Training

Comment