ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଫାଇନାନ୍ସ କିସ୍ତି ଟଙ୍କାକୁ କେନ୍ଦ୍ର କରି ଜୟପୁରରେ ଘଟିଥିବା ହତ୍ୟାକାଣ୍ଡରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନଥିବାରୁ ଏହାର ପ୍ରତିବାଦରେ ଜୟପୁର ଟାଉନ ଥାନା ଘେରଉ କରିଛି କଂଗ୍ରେସ। ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଂଗ୍ରେସ ବିଧାୟକ ତାରା ବାହିନୀପତି ନେତୃତ୍ଵରେ ଗୁରୁବାର ଦିନ ଶତାଧିକ କଂଗ୍ରେସ କର୍ମୀ ଜୟପୁର ଟାଉନ ଥାନା ଘେରାଉ କରିଥିଲେ।

ଆସନ୍ତା ସାତ ଦିନ ମଧ୍ୟରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାନଗଲେ ଜୟପୁରରେ ବନ୍ଦ ଡକରା ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

ଜୟପୁର ଭେଟନାରି କଲୋନିର ବିପିନ ବାହାଦୁର ଫାଇନାନ୍ସରେ ଏକ କାର ଆଣିଥିଲେ। ପରେ ସେ ଦୁଇଟି କିସ୍ତିର ଟଙ୍କା ଜମା କରିନଥିଲେ। ବିପିନ ଫାଇନ୍ସ କରିଥିବା କମ୍ପାନିରେ ଏଜେଣ୍ଟ ଭାବେ କାମ କରୁଥିବା ପ୍ରତ୍ୟୁଷ ଦାସ ବିପିନଙ୍କୁ କିସ୍ତି ଟଙ୍କା ଜମା କରିବାକୁ କହିଥିଲେ। ଏହାକୁ ନେଇ ଗତ ଅଗଷ୍ଟ ୧୨ ତାରିଖରେ ଉଭୟ ପ୍ରତ୍ୟୁଷ ଏବଂ ବିପିନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ରାଗି ଯାଇ ପ୍ରତ୍ୟୁଷ ଏକ ଛୁରୀରେ ବିପିନଙ୍କୁ ଆକ୍ରମଣ କରିଥିଲେ।

ଗୁରୁତର ଅବସ୍ଥାରେ ବିପିନଙ୍କୁ ପ୍ରଥମେ ଜୟପୁର ଡାକ୍ତରଖାନା ଓ ପରେ ବିଶାଖାପାଟଣାମକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ୧୪ ତାରିଖରେ ବିପିନଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ମୃତକଙ୍କ ପରିବାର ପକ୍ଷରୁ ଟାଉନଥାନାରେ ଅଭିଯୋଗ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ କାହାରିକୁ ଗିରଫ କରାଯାଇ ନାହିଁ।

Tags: #Jypure #MurderCase #Congress #PoliceStaion

Comment