ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜାଲିଆତି ମାମଲାରେ ଗିରଫ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗୁରୁବାର ରାତିରେ ଆମେରିକାର ଜର୍ଜିଆ ରାଜ୍ୟର ଆଟଲାଣ୍ଟାରେ ଆତ୍ମସମର୍ପଣ ପରେ ତାଙ୍କୁ ଗିରଫ କରାଯାଇଥିଲା। ସେ ଗିରଫ ହୋଇ ଜେଲ ଯିବାର ମାତ୍ର ୨୦ ମିନିଟ ମଧ୍ୟରେ ତାଙ୍କୁ ଜାମିନ ମିଳିଛି। କୌଣସି ପୂର୍ବତନ ରାଷ୍ଟ୍ରପତି ଗିରଫ ହେବା ଏହା ଆମେରିକା ଇତିହାସରେ ପ୍ରଥମ ଘଟଣା।

ଡୋନାଲ୍ଡ ଟ୍ରମ୍ପ ଗୁରୁବାର ରାତିରେ ଆଟଲାଣ୍ଟାର ଫୁଲଟୋନ କାଉଣ୍ଟି ଜେଲରେ ଆତ୍ମସମର୍ପଣ କରିଥିଲେ। ଗିରଫ ହେବାପରେ ତାଙ୍କର ଫଟୋ ନିଆଯାଇ ତାହାକୁ ସାର୍ବଜନୀନ କରାଯାଇଥିଲା। ପରେ ତାଙ୍କୁ ୨ ଲକ୍ଷ ଡଲାରର ବଣ୍ଡ ଆଧାରରେ ଜାମିନ ଦିଆଯାଇଥିଲା।

ଜେଲରୁ ମୁକୁଳିବା ପରେ ସେ ହାତ ହଲାଇ ଲୋକମାନଙ୍କୁ ସମ୍ବୋଧନ କରିଥିଲେ। ତାଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର କରାଯାଉଥିବା ଟ୍ରମ୍ପ ଅଭିଯୋଗ କରିଥିଲେ। ଏହାପରେ ସେ ନ୍ୟୁଜର୍ସି ଅଭିମୁଖେ ଯିବା ପାଇଁ ଆଟଲାଣ୍ଟା ବିମାନ ବନ୍ଦରକୁ ଯାଇଥିଲେ।

ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳରେ ହେରଫେର କରିବାର ଅଭିଯୋଗ ରହିଛି। ଟ୍ରମ୍ପ ତାଙ୍କର ସହଯୋଗୀଙ୍କ ମାଧ୍ୟମ ଆମେରିକାର ଜର୍ଜିଆ ରାଜ୍ୟରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବଦଳାଇ ନିଜ ସପକ୍ଷରେ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଟ୍ରମ୍ପ ଓ ତାଙ୍କ ୧୮ ଜଣ ସହଯୋଗୀଙ୍କ ବିରୋଧରେ ମାମଲା ଜାରି ରହିଛି।

Tags: #DonaldTrump #FormerAmericanPresident #ElectionFraudCase #Politics #USA

Comment