ଓଡ଼ିଶାଲାଇଭ୍ ବ୍ୟୁରୋ

ଆହୁରି ଦକ୍ଷ ହେବ ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ବିଏମସିରେ ୪୧୬ଟି ନୂତନ ପଦବୀ ପାଇଁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ବିଏମସିରେ ୨୧୦ଟି ପଦବୀ ରହିଥିଲା। ଏବେ ନୂଆ ପଦବୀ ସୃଷ୍ଟି ହେବା ଫଳରେ ମୋଟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ହେବ।

ନୂତନ ଭାବେ ୩ଟି ଅତିରିକ୍ତ କମିଶନର ପଦବୀ, ୬ଟି ଜୋନାଲ କମିଶନର ପଦବୀ ଏବଂ ଡ୍ରେନେଜ ବିଭାଗରେ ୨୦ଟି ନୂଆ ପଦବୀ ସହ ପ୍ରତି ୱାର୍ଡ ପାଇଁ ସ୍ଵତନ୍ତ୍ର ୱାର୍ଡ ଅଫିସର ନିଯୁକ୍ତ ହେବେ।

ଦିନକୁ ଦିନ ରାଜଧାନୀ ଭୁବନେଶ୍ଵରରେ ଦିନକୁ ଦିନ ଲୋକ ସଂଖ୍ୟା ବୃଦ୍ଧି ପାଉଛି। ଏଠାରେ ଲୋକଙ୍କର ଆବଶ୍ୟକତା ମଧ୍ୟ ବଢ଼ୁଛି। ରାଜଧାନୀ ବାସିନ୍ଦାଙ୍କୁ ଠିକ୍ ଭାବେ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବିଏମସିରେ ନୂତନ ପଦବୀ ସୃଷ୍ଟି ପରିବା ପାଇଁ ମଞ୍ଜରୀ ପ୍ରଦାନ କରିଛନ୍ତି ରାଜ୍ୟ ସରକାର।

ପୂର୍ବରୁ ଭୁବନେଶ୍ଵର ମହାନଗର ନିଗମର ପ୍ରଶାସନିକ କ୍ଷେତ୍ରରେ ଗୋଟିଏ ଅତିରିକ୍ତ କମିଶନର ପଦବୀ ରହିଥିଲ। ଆଉ ୩ଟି ପଦବୀ ସୃଷ୍ଟି ହେବା ଫଳରେ ଅତିରିକ୍ତ କମିଶନର ପଦବୀ ୪କୁ ବୃଦ୍ଧି ହେବ। ସେହିପରି ୬ଟି ନୂତନ ଜୋନାଲ କମିଶନର ପଦବୀ ସୃଷ୍ଟି ହେବ। ପୂର୍ବରୁ ୩ଟି ଡେପୁଟି କମିଶନର ପଦବୀ ରହିଥିବାବେଳେ ଆଉ ୧୩ଟି ନୂତନ ପଦବୀ ସୃଷ୍ଟି ହେବ। ବିଏମସିରେ ଡେପୁଟି କମିଶନର ପଦବୀ ସଂଖ୍ୟା ୧୬କୁ ବୃଦ୍ଧି ହେବ।

ପୂର୍ବରୁ ୪ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ରହିଥିଲା। ଏଥିରେ ଆଉ ୯ଟି ପଦବୀ ଯୋଡ଼ି ହେବା ଫଳରେ ଏହି ସଂଖ୍ୟା ୧୩କୁ ବୃଦ୍ଧି ହେବ।

ବିଏମସିର ଅର୍ଥ ବିଭାଗରେ ୧୧ଟି ଓ ଯୋଜନା ବିଭାଗରେ ୪ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ୧୭ଟି ନୂତନ ପଦବୀ, ସାନିଟେସନ (ଇଂଜିନିୟରିଂ) ବିଭାଗରେ ୫ଟି ନୂତନ ପଦବୀ, ଡ୍ରେନେଜ ବିଭାଗରେ ୨୦ଟି ପଦବୀ, ମେକାନିକାଲ ବିଭାଗରେ ୨ଟି, ଆଇନ ବିଭାଗରେ ଗୋଟିଏ, ଲୋକସମ୍ପର୍କ ବିଭାଗରେ ୨ଟି, ସୌନ୍ଦର୍ଯ୍ୟକରଣ ଓ ଲ୍ୟାଣ୍ଡ ସ୍କେପିଂ ବିଭାଗରେ ୭ଟି, ପ୍ରାଣୀ କଲ୍ୟାଣ ବିଭାଗରେ ୪ଟି, ସାମାଜିକ କଲ୍ୟାଣ ବିଭାଗରେ ୧୩ଟି, ବିପର୍ଯ୍ୟୟ ଓ ଜରୁରୀ ସେବା ବିଭାଗରେ ଗୋଟିଏ, ଏନଫୋର୍ସମେଣ୍ଟ ବିଭାଗରେ ୧୯ଟି, ଅମଲା ବିଭାଗରେ ୯୩ଟି ଏବଂ ୱାର୍ଡ ଅଫିସ ବିଭାଗରେ ୧୮୭ଟି ନୂତନ ପଦବୀ ସୃଷ୍ଟି କରାଯାଇଛି।

ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ପୂର୍ବରୁ ୨ଟି ସିଭିଲ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ରହିଥିବାବେଳେ ଏହାର ସଂଖ୍ୟା ୬କୁ ବୃଦ୍ଧି କରାଯାଇଛି। ସେହିପରି ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀକୁ ୭ରୁ ୧୩କୁ ବୃଦ୍ଧି କରାଯାଇଛି। ଏହା ସହ ସିଭିଲ ଜୁନିଅର ଇଂଜିନିୟର ପଦବୀ ସଂଖ୍ୟା ୧୭ରୁ ୨୪କୁ ବୃଦ୍ଧି କରାଯାଇଛି ।

ପରିମଳ (ଇଂଜିନିୟରିଂ) କ୍ଷେତ୍ରରେ ୫ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ କାର୍ଯ୍ୟନିର୍ବାହୀ ଅଧିକାରୀ (ପରିମଳ), ଗୋଟିଏ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ପରିମଳ) ଓ ୩ଟି ଜୁନିଅର ଇଂଜିନିୟର (ପରିମଳ) ପଦବୀ ଅନ୍ତର୍ଭୁକ୍ତ ରହିଛି।

ସେହିପରି ଡ୍ରେନେଜ ବିଭାଗରେ ୨୦ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ କାର୍ଯ୍ୟନିର୍ବାହୀ ଅଧିକାରୀ, ୭ଟି ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ୧୨ଟି ଜୁନିଅର ଇଂଜିନିୟର ପଦବୀ ରହିଛି।

ୱାର୍ଡ ପରିଚାଳନା ପାଇଁ ୧୮୭ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ପୂର୍ବରୁ ଏଥିରେ ୮୧ଟି ପଦବୀ ରହିଥିଲା। ଏହି ସଂଖ୍ୟା ୨୬୮କୁ ବୃଦ୍ଧି ହେବ। ନୂଆ କରି ୬୭ଟି ୱାର୍ଡ ଅଫିସର ପଦବୀ ସୃଷ୍ଟି କରାଯାଇଛି।

ସେହିପରି ୱାର୍ଡ ରେଭେନ୍ୟୁ ଅଫିସର (ଟ୍ୟାକ୍ସ କଲେକ୍ଟର) ପଦବୀ ସଂଖ୍ୟା ୫୦ଟି ରହିଥିବାବେଳେ ନୂତନ ପଦବୀ ସୃଷ୍ଟି ହେବା ଫଳରେ ଏହି ସଂଖ୍ୟା ୬୭କୁ ବୃଦ୍ଧି ହେବ। ସାନିଟାରୀ ଇନ୍ସପେକ୍ଟର ପଦବୀ ସଂଖ୍ୟା ୬ଟି ରହିଥିବାବେଳେ ଆଉ ୬୧ଟି ନୂଆ ପଦବୀ ସୃଷ୍ଟି ହେବ। ଏହା ସହ କମ୍ୟୁନିଟି ଅର୍ଗାନାଇଜର ପଦବୀ ସଂଖ୍ୟା ୨୫ରୁ ୬୭କୁ ବୃଦ୍ଧି ହେବ।

Tags: #BhubaneswarMunicipalCorporation #BMC #NewPostsForBMC #OdishaGovt #Odisha

Comment