ଓଡ଼ିଶାଲାଇଭ୍ ବ୍ୟୁରୋ

୫-ଟି ସଚିବଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚ୍ୟାଲେଞ୍ଜ କଲେ, ରାଜ ରାସ୍ତାରେ ହଟହଟା ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାର ବାଲାଜୀ ବିଦ୍ୟାପୀଠାରେ ହେବାକୁ ଥିବା ସଭାରେ ଯୋଗ ଦେବାକୁ ଯାଉଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧାବାଟରୁ ଜୋରଦାର ବିରୋଧ କରାଯାଇଛି। ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁରରେ ପ୍ରବେଶ କରିବା ବେଳେ ଲାଞ୍ଜିପଲ୍ଲୀ ଓଭରବ୍ରିଜ ନିକଟରେ ତାଙ୍କ ଗାଡ଼ିକୁ ଅଟକାଇ ଥିଲେ ଶତାଧିକ ବିଜେଡି କର୍ମୀ ଏବଂ ସ୍ଥାନୀୟ ବାସିନ୍ଦା। ଏହି ସମୟରେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଏବଂ ବିଜେଡି କର୍ମୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା।

ରାଜପଥରେ ଚାଲିଲା ହାଇଡ୍ରାମା

ସଭାରେ ଯୋଗ ଦେବାକୁ ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁର ଯାଉଥିଲା ବେଳେ ଲାଞ୍ଜିପଲ୍ଲୀଠାରେ ତାଙ୍କ ଗାଡ଼ିକୁ ଅଟକାଇ ଥିଲେ ବିଜେଡି କର୍ମୀ। ଏହି ସମୟରେ ବିଧାୟକଙ୍କ ଗାଡ଼ି ଉପରକୁ ଚଢ଼ିଯାଇ କିଛି ଯୁବକ ବିରୋଧ ପ୍ରଦର୍ଶନ କରିଥିଲେ। ପୋଲିସ ଉପସ୍ଥିତିରେ ଉଭୟ ପ୍ରଦୀପଙ୍କ ସମର୍ଥକ ଏବଂ ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ପରେ ବିଧାୟକଙ୍କ ଗାଡ଼ିକୁ ଅଣ୍ଡା, ପଥର ଏବଂ ପାଣିବୋତଲ ମାଡ଼ କରାଗଲା। ବିରୋଧ ସ୍ଥାନରୁ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଇଞ୍ଚେ ବି ଯିବାକୁ ଦେଇନଥିଲେ ବିଜେଡି କର୍ମୀ। କୌଣସି ପରିସ୍ଥିତିରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରରେ ପଶିବାକୁ ଦିଆଯିବ ନାହିଁ ବୋଲି ଅଡ଼ି ବସିଥିଲେ ସେମାନେ।

କେବଳ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଏବଂ ବିଜେଡି କର୍ମୀଙ୍କ ମଧ୍ୟରେ ହାତାହାତି ହୋଇନଥିଲା, କିଛି ଲୋକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଠେଲାପେଲା କରିଥିବାର ଦେଖିବାକୁ ମିଳିଥିଲା। ବିଜେଡି କର୍ମୀମାନେ ତାଙ୍କ ଗାଡ଼ି ସମ୍ମୁଖରେ ବସି ରହିବା ସହ ନାରାବାଜି ମଧ୍ୟ କହିଥିଲେ। ଦୀର୍ଘ ସମୟ ଧରି ରାଜରାସ୍ତାରେ ଦେଖିବାକୁ ମିଳିଥିଲା ହାଇଡ୍ରାମା।

ବିରୋଧ ସ୍ଥଳରୁ ମୁଖ୍ୟମନ୍ତ୍ରୀଙ୍କୁ ମେଲ୍ କଲେ ପ୍ରଦୀପ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ପକ୍ଷରୁ ଜୋରଦାର ବିରୋଧ କରାଯିବା ସହ ତାଙ୍କୁ ବ୍ରହ୍ମପୁର ଅଭିମୁଖେ ଯିବାକୁ ନଦିଆଯିବାରୁ ନିଜ ମୋବାଇଲରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମେଲ କରିଥିଲେ ପ୍ରଦୀପ। ଏହା ସହ ମୁଖ୍ୟ ଶାସନ ସଚିବ, ଡିଜିପି, ଦକ୍ଷିଣାଞ୍ଚଳ ଆଇଜି ଏବଂ ଗୃହ ବିଭାଗକୁ ମଧ୍ୟ ମେଲ୍ କରିଥିଲେ। ଏହି ବିରୋଧ ପାଇଁ ପ୍ରାୟ ୩ ଘଣ୍ଟା ଧରି ଗାଡ଼ି ଭିତରେ ଅଟକି ରହିଥିଲେ ପ୍ରଦୀପ ପାଣିଗ୍ରାହୀ।

ପ୍ରଦୀପ ପାଣିଗ୍ରାହୀ କହିଥିଲେ, “କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ମୁଁ ବ୍ରହ୍ମପୁର ଏସପିଙ୍କୁ ଜଣାଇଥିଲି। କିନ୍ତୁ ସଭାସ୍ଥଳକୁ ଯିବା ପାଇଁ ସେ କୌଣସି ବ୍ୟବସ୍ଥା କରିନାହାନ୍ତି। ଜଣେ ସରକାରୀ ଅଧିକାରୀଙ୍କୁ ସୁରକ୍ଷା ଦେବା ପାଇଁ ୪ ହଜାର ପୋଲିସ କର୍ମୀ ନିୟୋଜିତ ହୋଇଛନ୍ତି, କିନ୍ତୁ ଜଣେ ଜନପ୍ରତିନିଧିଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ଅଧାରାସ୍ତାରେ ମୋ ଗାଡ଼ି ଅଟକାଇ ଯେଉଁଭଳି ଭାବେ ବିରୋଧ ପ୍ରଦର୍ଶନ କରାଗଲା ତା’ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

ସେ ଆହୁରି କହିଥିଲେ “ମୁଖ୍ୟମନ୍ତ୍ରୀ ଭଦ୍ରଲୋକ। ତାଙ୍କ ନାଁ ନେଇ ଏଠାରେ ଶାସନ ଚାଲିଛି। ଯଦି ସିଏମ ଫେସ୍ ବଦଳିଯିବ ତେବେ ସବୁ ମାଟି ହେଇଯିବ। ଆଉ କେହି ମୁଖ୍ୟମନ୍ତ୍ରୀ ହେଲେ ସମସ୍ତେ ଭିତରକୁ ଯିବେ। ଜେଲ୍ ଯିବା ଭୟରେ ଏମାନେ ଶାସନକୁ ଜାବୁଡ଼ି ଧରିଛନ୍ତି।”

ଗଞ୍ଜାମରେ ପଶିବାକୁ ଦିଆଯିବନି – ବିଜେଡି କର୍ମୀ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗଞ୍ଜାମ ଜିଲ୍ଲାରେ ପଶିବାକୁ ଦିଆଯିବ ନାହିଁ। ପଞ୍ଚାୟତ ନିର୍ବାଚନ ବେଳେ ସେ କୁଆଡ଼େ ଯାଇଥିଲେ ବୋଲି ପ୍ରଶ୍ନ କରିଥିଲେ ବିଜେଡି କର୍ମୀ। ସେମାନେ କହିଥିଲେ ଟାଟା କମ୍ପାନିରେ ଚାକିରି କରାଇଦେବାକୁ କହି ପିଲାଙ୍କଠାରୁ ଟଙ୍କା ନେଇଛନ୍ତି। ଚାକିରି ଦିଅନ୍ତୁ, ନଚେତ ଟଙ୍କା ଫେରାନ୍ତୁ। ଏ ସମ୍ପର୍କରେ ଜବାବ ନଦେବା ଯାଏଁ ତାଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀକୁ ଛଡ଼ାଯିବ ନାହିଁ ବୋଲି ସେମାନେ କହିଥିଲେ।

ଖୋଲା ଚ୍ୟାଲେଞ୍ଜ କରି ଅଧାବାଟରେ ହଟହଟା

ଶୁକ୍ରବାରଠାରୁ ତିନିଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ। ସଚିବଙ୍କ ଗସ୍ତ ସମୟରେ ନିଜ ନିର୍ବାଚନ ମଣ୍ଡଳୀକୁ ଯିବେ ବୋଲି ଗତ ଅଗଷ୍ଟ ୧୫ ତାରିଖରେ ପୂର୍ବ ସୂଚନା ଦେଇଥିଲେ ପ୍ରଦୀପ ପାଣିଗ୍ରାହୀ। ଏପରିକି ଗଞ୍ଜାମ ଗସ୍ତକୁ ନେଇ ସେ ଖୋଲା ଚ୍ୟାଲେଞ୍ଜ ମଧ୍ୟ କରିଥିଲେ। ସେ କହିଥିଲେ, “ମୋ ନିର୍ବାଚନ ମଣ୍ଡଳୀକୁ ମୁଁ ଯିବି। ମୋତେ କିଏ ରୋକିବ ଦେଖିବି। ଯଦି ବାଟରେ ମୋ ଉପରେ ଆକ୍ରମଣ ହୁଏ, ତେବେ ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ।

ଗଞ୍ଜାମରେ ବଢ଼ିବ ବିଜେଡିର ଅଡ଼ୁଆ!

ଶୁକ୍ରବାର ଦିନ ଘଟିଥିବା ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡିର ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ କନ୍ଦଳ ବିଜେଡିକୁ ଘାଟାରେ ପକାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Tags: #OdishaPolitics #Protest #PradeepPanigrahi #Ganjam #Lanjipalli #BJD #Lanjipalli

Comment