ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାର ବାଲାଜୀ ବିଦ୍ୟାପୀଠାରେ ହେବାକୁ ଥିବା ସଭାରେ ଯୋଗ ଦେବାକୁ ଯାଉଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧାବାଟରେ ଜୋରଦାର ବିରୋଧ କରାଯାଇଛି। ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁରରେ ପ୍ରବେଶ କରିବା ବେଳେ ଲାଞ୍ଜିପଲ୍ଲୀ ଓଭରବ୍ରିଜ ନିକଟରେ ତାଙ୍କ ଗାଡ଼ିକୁ ଅଟକାଇ ବିରୋଧ ପ୍ରଦର୍ଶନ କରାଯାଇଥିଲା।

ଲାଞ୍ଜିପଲ୍ଲୀଠାରେ ଦୀର୍ଘ ସମୟ ଧରି ହାଇଡ୍ରାମା ଦେଖିବାକୁ ମିଳିଥିଲା। ପୋଲିସ ଉପସ୍ଥିତିରେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଏବଂ ତାଙ୍କ ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଦୀପ ପାଣିଗ୍ରାହୀଙ୍କ ଗସ୍ତକୁ ବିରୋଧ କରୁଥିବା କିଛି ଲୋକ ବିଧାୟକଙ୍କ ଗାଡ଼ି ଉପରେ ଚଢ଼ି ଗାଡ଼ିକୁ ଅଟକାଇ ଥିଲେ।

ଏହା ପରେ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ି ଉପରକୁ ଅଣ୍ଡା ଓ ପଥର ମାଡ଼ କରାଯାଇଥିଲା। ହାତରେ ପ୍ଲାକାର୍ଡ ଧରି ଗୋ ବ୍ୟାକ୍ ନାରା ଦେଇଥିଲେ ଅସନ୍ତୋଷ ଲୋକ।

ଏହି ବିରୋଧ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି, “କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ମୁଁ ବ୍ରହ୍ମପୁର ଏସପିଙ୍କୁ ଜଣାଇଥିଲି। କିନ୍ତୁ ସଭାସ୍ଥଳକୁ ଯିବା ପାଇଁ ସେ କୌଣସି ବ୍ୟବସ୍ଥା କରିନାହାନ୍ତି। ଜଣେ ଅଧିକାରୀଙ୍କୁ ସୁରକ୍ଷା ଦେବା ପାଇଁ ୪ ହଜାର ପୋଲିସ କର୍ମୀ ନିୟୋଜିତ ହୋଇଛନ୍ତି, କିନ୍ତୁ ଜଣେ ଜନପ୍ରତିନିଧିଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ଅଧାରାସ୍ତାରେ ମୋ ଗାଡ଼ି ଅଟକାଇ ଯେଉଁଭଳି ଭାବେ ବିରୋଧ ପ୍ରଦର୍ଶନ କରାଗଲା ତା’ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

ପ୍ରଦୀପ ପାଣିଗ୍ରାହୀ ଏହା ପୂର୍ବରୁ କହିଥିଲେ ଗଞ୍ଜାମ ଗସ୍ତ ବେଳେ ବିଜେଡି କର୍ମୀମାନେ ତାଙ୍କୁ ବିରୋଧ କରିବାର ଯୋଜନା ରହିଛି। ତାଙ୍କୁ କାର୍ଯ୍ୟକ୍ରମରୁ ଦୂରେଇ ରଖିବା ପାଇଁ ପିଲା ନିୟୋଜିତ ହୋଇଛନ୍ତି। ଯଦି ବାଟରେ କିଛି ଅସୁବିଧା ହୁଏ ତେବେ ଗୃହମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ସେ କହିଥିଲେ। ପ୍ରଦୀପ ପାଣିଗ୍ରାହୀ ଯେଉଁ ଆଶଙ୍କା କରୁଥିଲେ ତାହାର ପ୍ରତିଫଳନ ଆଜି ଦେଖିବାକୁ ମିଳିଛି।

Tags: #OdishaPolitics #Protest #PradeepPanigrahi #Ganjam #Lanjipalli

Comment