ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରତିବର୍ଷ ୪୦ ଜଣଙ୍କୁ ବଛାଯାଇ ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଜରିଆରେ ସିଙ୍ଗାପୁର ପଠାଯାଉଛି। ୨୦୨୨-୨୩ ବ୍ୟାଚର ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଶନିବାର ଦିନ ସିଙ୍ଗାପୁରରେ ପହଞ୍ଚିଛନ୍ତି।

ଏହି ଛାତ୍ରଛାତ୍ରୀମାନେ ଭୁବନେଶ୍ୱର-ସିଙ୍ଗାପୁର ସିଧାସଳଖ ବିମାନ ଯୋଗେ ଶନିବାର ସକାଳୁ ଯାତ୍ରା କରିଥିଲେ। ପ୍ରଥମଥର ପାଇଁ ବିମାନରେ ବସି ବିଦେଶ ଯାଉଥିବାରୁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ଅଧୀନରେ ଅନ୍ତର୍ଜାତୀୟ ମାନର ତାଲିମ ପାଇଁ ଏଭଳି ସୁଯୋଗ ମିଳୁଥିବାରୁ ସେମାନେ ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ସିଙ୍ଗାପୁର ଯାଇଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅନୁଭୂତି ସେମାନଙ୍କ ଶିକ୍ଷା ଓ ତାଲିମକୁ ଏକ ନୂଆ ଦିଗ ଦେବା ସହ ସେମାନଙ୍କ ମନରେ ନୂଆ ସାହସ ଆଣିଦେବ ବୋଲି ସେ କହିଛନ୍ତି।

‘‘ବିଦେଶ ଯାଇ ବିଶ୍ୱସ୍ତରୀୟ ଶିକ୍ଷା ସୁଯୋଗ ପାଇବି ବୋଲି ମୁଁ କେବେ ଭାବି ନଥିଲି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ନେବା ଫଳରେ ମୋ’ ପାଇଁ ଆଜି ତାହା ସାକାର ହୋଇଛି। ସିଙ୍ଗାପୁରରେ ମୁଁ ନୂଆ ନୂଆ କଥା ଶିଖିବା ସହ ଏଭଳି ଏକ ନୂଆ ପରିବେଶ ଦେଖିବାର ସୁଯୋଗ ପାଇବି’’, କହନ୍ତି ‘ଏୟାର କଣ୍ଡିସନିଂ ଆଣ୍ଡ୍ ରେଫ୍ରିଜରେସନ’ର ଛାତ୍ର ଆୟୁଷ ପ୍ରଧାନ।

‘‘ସିଙ୍ଗାପୁରରେ ଆମକୁ ଡ୍ରୋନ ଏବଂ ରୋବୋଟିକ୍ସ ବିଷୟରେ ବହୁତ କିଛି ନୂଆ କଥା ଶିଖିବାକୁ ମିଳିବ। ତା’ଛଡ଼ା ସିଙ୍ଗାପୁରର ବିଭିନ୍ନ ସ୍ଥାନକୁ ଅତି ପାଖରୁ ଦେଖିବାକୁ ପାଇବି। ତେଣୁ ଏଥିପାଇଁ ମୁଁ ବହୁତ ଉତ୍ସାହିତ’’, କହନ୍ତି ‘ଇଲେକ୍ଟ୍ରିକାଲ ଟେକ୍ନୋଲୋଜି’ର ଛାତ୍ରୀ ଅଲିଭା ପ୍ରିୟଦର୍ଶିନୀ ସାହୁ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଏବଂ ସିଙ୍ଗାପୁର ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ପ୍ରତିବର୍ଷ ଏହି ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇ ୨ ସପ୍ତାହ ପାଇଁ ସିଙ୍ଗାପୁରର ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ ଏଜୁକେସନକୁ (ଆଇଟିଇ) ପଠାଯାଉଛି।

ଏହି ସମୟ ମଧ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରରୁ ଯାଇଥିବା ଛାତ୍ରଛାତ୍ରୀମାନେ ‘ଆଇଟିଇ’ରେ ଅତିରିକ୍ତ ତାଲିମ ନେବା ସହ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ସହ ମିଶିବାର ସୁଯୋଗ ପାଇବେ। ତା’ଛଡ଼ା ସେମାନେ ସିଙ୍ଗାପୁର ଭଳି ଅତ୍ୟାଧୁନିକ ସହରର ବିଭିନ୍ନ ସ୍ଥାନ ବୁଲି ଦେଖିବେ।

ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ତଥା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରରେ ସ୍ଥାପନ କରାଯାଇଛି ‘ବିଶ୍ୱ ଦକ୍ଷତା କେନ୍ଦ୍ର’। ଏଠାରେ ୭ଟି ଅତ୍ୟାଧୁନିକ ବିଷୟରେ ଓଡ଼ିଶାର ଯୁବପିଢ଼ିଙ୍କୁ ଫିନିସିଙ୍ଗ୍ ସ୍କୁଲ ଢାଞ୍ଚାରେ ତାଲିମ ଦିଆଯାଇ ଦେଶ ବିଦେଶର ଶିଳ୍ପ ଦୁନିଆ ଏବଂ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇଁ ପ୍ରସ୍ତୁତ କରାଯାଉଛି।

Tags: #WorldSkillCenter #Bhubaneswar #Career #Employment #Training #SkilledInOdisha #StudentExchange

Comment