ଓଡ଼ିଶାଲାଇଭ୍ ବ୍ୟୁରୋ

(ସୁନ୍ଦରଗଡ଼): ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପରିଚାଳନା ପରିଷଦର ଦଶମ ବାର୍ଷିକ ବୈଠକ ଜିଲ୍ଲପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡିଏମଏଫ ପରିଚାଳନା ପରିଷଦର ଗତ ଛ’ ମାସର କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା। ଏହା ସହ ଆଗାମୀ ଦିନରେ ଏହି ପ୍ରତିଷ୍ଠାନ ଦ୍ୱାରା ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ବ୍ୟାପକ ଆଲୋଚନା କରାଯାଇଥିଲା।

ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ଡିଏମଫ ଟ୍ରଷ୍ଟର ଅଧ୍ୟକ୍ଷ ଓ ମ୍ୟାନେଜିଂ ଟ୍ରଷ୍ଟି ଡାକ୍ତର ପରାଗ ହର୍ଷଦ ଗାଭାଲି ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବିଧାୟିକା କୁସୁମ ଟେଟେ, ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି ଏସ୍ ରାଜେନ ଏକ୍କା, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ମହାଜନ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଟ୍ରଷ୍ଟର ସିଇଓ ସୁଷମା ବିଲୁଙ୍ଗ, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ତଥା ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ବୈଠକରେ ଡିଏମଏଫ ପାଣ୍ଠି ବିନିଯୋଗରେ ଚାଲୁଥବା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯିବା ସହ ଏହାକୁ କିପରି ଅଧିକ ଲୋକାଭିମୁଖୀ କରାଯାଇପାରିବ ସେନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।

ଡିଏମଏଫ ତରଫରୁ ପୂର୍ବରୁ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପଗୁଡ଼ିକ ବିଷୟରେ ଡିଏମଏଫର ସିଇଓ ସୁଷମା ବିଲୁଙ୍ଗ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ। ଏହା ସହ ସେ ପ୍ରକଳ୍ପକୁ ନେଇ ଉପସ୍ଥିତ ବୋର୍ଡ ସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ।

ପୂର୍ବରୁ ୭୪୨ଟି ପ୍ରକଳ୍ପ ପାଇଁ ୨,୧୩୪ କୋଟି ଟଙ୍କାର ବ୍ୟୟବରାଦକୁ ଅନୁମତି ମିଳିଥିବାବେଳେ ୨,୪୮୦ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହେବାକୁ ଥିବା ନୂଆ ପ୍ରକଳ୍ପ ଯଥା ପଞ୍ଚାୟତ ସ୍ତରରେ ଖେଳ ପଡ଼ିଆ, ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ରାସ୍ତା ନିର୍ମାଣ, ପ୍ରତି ବ୍ଲକରେ ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ, ମହାବିଦ୍ୟାଳୟ ରୂପାନ୍ତରଣ, ଶିକ୍ଷା ଅଧିକାର ଆଇନ ଅନ୍ତର୍ଗତ ନବମ ଏବଂ ଦଶମ ଶ୍ରେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୁଯୋଗ ସୃଷ୍ଟି କରିବା, ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ କୋଚିଂ, ଆମ ହସ୍ପିଟାଲ, ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲରେ ରାଗି ଲଡୁ ବିତରଣ ବ୍ୟବସ୍ଥା ଏବଂ ହେମଗିରି ବ୍ଲକରେ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ଆଦି ଉପରେ ଆଲୋଚନା ହୋଇଥିଲା।

ଚଳିତ ବର୍ଷଠାରୁ ଜିଲ୍ଲାର ନବମ ଏବଂ ଦଶମ ଶ୍ରେଣୀରେ ପଢୁଥିବା ଅଣସଂରକ୍ଷିତ ବର୍ଗର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଡିଏମଏଫ ପାଣ୍ଠିରୁ ପାଠ୍ୟପୁସ୍ତକ କ୍ରୟ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ କରାଯାଇଥିଲା।

Tags: #DMFSundargarh #DMFTrusteesMeeting #Sundargarh

Comment