ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ସିସିଟିଭି ନଜରରେ ରହିବ ରାଜଧାନୀ ଭୁବନେଶ୍ଵର। କଏଦ ହେବ ଅପରାଧୀଙ୍କ ଗତିବିଧି। ଭୁବନେଶ୍ଵରରେ ଦିନକୁ ଦିନ ବଢ଼ିୁଥିବା ଅପରାଧ ଏବଂ ଅପରାଧୀଙ୍କୁ ନିୟନ୍ତ୍ରଣ କରିବା ଲାଗି ଏହି ନୂଆ ରଣନୀତି ଅପଣେଇଛି କମିଶନରେଟ ପୋଲିସ।

ଶିଶୁପାଳଗଡ଼ରେ ଅପରାଧୀଙ୍କ ଆତଙ୍କରାଜ ପରେ କମିଶନରେଟ ପୋଲିସ ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଇଛି। ରାଜଧାନୀର ବ୍ୟବସାୟିକ ପ୍ରତିଷ୍ଠାନ, ଆପାର୍ଟମେଣ୍ଟ ଏବଂ ଲୋକଙ୍କ ଘର ଆଗରେ ଲାଗିଥିବା ସିସିଟିଭିର ସଦୁପଯୋଗ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହେବାକୁଯାଉଛି ‘ସହଭାଗିତା’ କାର୍ଯ୍ୟକ୍ରମ।

ଭୁବନେଶ୍ଵରରେ ଘଟୁଥିବା ଅପରାଧ ବିଷୟରେ ଜାଣିବା ଏବଂ ଅପରାଧୀଙ୍କ ଚିହ୍ନଟ କରିବାକୁ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ପୋଲିସକୁ ସହଜ ହେଉଛି।

ସହଭାଗିତା ଯୋଜନାରେ ବ୍ୟବସାୟିକ ପ୍ରତିଷ୍ଠାନ, ଆପାର୍ଟମେଣ୍ଟ ଏବଂ ଲୋକଙ୍କ ଘର ଆଗରେ ଲାଗିଥିବା ସିସିଟିଭି କ୍ୟାମେରା କମିଶନରେଟ ପୋଲିସ କଣ୍ଟ୍ରୋଲ ରୁମ ସହ ସଂଲଗ୍ନ ରହିବ। ଅପରାଧୀଙ୍କୁ ଚିହ୍ନଟ କରିବା ଏବଂ ଅପରାଧ ନିୟନ୍ତ୍ରଣ କରିବା ଦିଗରେ ଏହା ସହାୟକ ହେବ। ସିସିଟିଭିର ଆଇପି ଆଡ୍ରେସ ପୋଲିସ ସହ ସାମିଲ କରିବାକୁ କୁହାଯାଇଛି। ଏଥିରେ ଯୋଡ଼ି ହେବା ପାଇଁ ଜାରି କରାଯାଇଥିବା ନମ୍ବର ହେଉଛି ୯୪୩୯୨୨୪୪୪୧। ଏହି ସିସିଟିଭିର ସବୁ ତଥ୍ୟ ଗୋପନ ରଖାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

ଗତ ୨୦୨୨ ମସିହାରେ ପ୍ରଥମରେ କଟକରେ ସହଭାଗିତା କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା। ଏହାଦ୍ଵାରା ପୋଲିସ ସହିତ ପ୍ରାୟ ୬୦୦ ପ୍ରାଇଭେଟ ସିସିଟିଭି ଯୋଡ଼ି ହୋଇଥିଲା। ଏହାର ସଫଳତା ପରେ ଏବେ ଭୁବନେଶ୍ଵରରେ ଏହା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି।

ନିକଟରେ ଶିଶୁପାଳଗଡ଼ ଅପରାଧୀଙ୍କ ଆତଙ୍କ ବିଷୟରେ ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଥିଲା। ରାତିଅଧରେ କିଛି ଦୁର୍ବୃତ୍ତ ଖଣ୍ଡା ଏବଂ କାତିରେ ସ୍ଥାନୀୟ ଯୁବକଙ୍କୁ ଆକ୍ରମଣ କରିବାର ସମ୍ପୂର୍ଣ୍ଣ ଦୃଶ୍ୟ ପାଖ ଘର ଏବଂ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା।

Tags: #Bhubaneswar #CCTV #Crime #CommissioneratePolice

Comment