ଓଡ଼ିଶାଲାଇଭ୍ ବ୍ୟୁରୋ

  • ଶ୍ରୀମନ୍ଦିରରେ ଅର୍ଥ ସବ କମିଟି ବୈଠକ
  • ପୁଣି ପାରମାଣିକ ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି 
  • ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ବନ୍ଦ ହେବ ଚିକିତ୍ସା ଭତ୍ତା 

ଶ୍ରୀମନ୍ଦିରରେ ପୁଣିଥରେ ଆରମ୍ଭ ହେବ ପାରମାଣିକ ଦର୍ଶନ ବ୍ୟବସ୍ଥା। ଏଥିପାଇଁ ଛତିଶା ନିଯୋଗ ସହ ଆଲୋଚନା ପରେ ସ୍ଵତନ୍ତ୍ର ଏସଓପି ଜାରି ହେବ। ଏନେଇ ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଅର୍ଥ ସବ କମିଟି ବୈଠକରେ ନିଷ୍ପତ୍ତି ହୋଇଛି।

ଅର୍ଥ ସବ କମିଟି ବୈଠକର ନିଷ୍ପତ୍ତି ଅନୁସାରେ କୋଭିଡ୍‌ ପରଠୁ ବନ୍ଦ ଥିବା ଶ୍ରୀଗୁଣ୍ଡିଚା ମନ୍ଦିରରେ ସ୍ଵତନ୍ତ୍ର ଦର୍ଶନ ପାଇଁ ମଧ୍ୟ ଟିକେଟ ବିକ୍ରି ଆରମ୍ଭ ହେବ। ଅନ୍ୟପଟେ ଶ୍ରୀମନ୍ଦିରର ନରେନ୍ଦ୍ର ସଂକଳ୍ପ, ଲୁଣ-ପତ୍ର ମାହାଲ, ରୋଷଦର୍ଶନୀ ମାହାଲ, ରୋହିଣୀ କୁଣ୍ଡ, କୋଇଲି ବୈକୁଣ୍ଠ ଆଦି ମାହାଲକୁ ଯିବା ପାଇଁ ପୁଣିଥରେ ଶୁଳ୍କ ଲାଗୁ ହେବ। ଏଥିପାଇଁ ଖୁବ ଶୀଘ୍ର ଟେଣ୍ଡର୍‌ ଆହ୍ଵାନ କରାଯିବ।

ଅନ୍ୟପଟେ ଶ୍ରୀମନ୍ଦିରର ସ୍ଥାୟୀ କର୍ମଚାରୀମାନଙ୍କୁ ମିଳିଆସୁଥିବା ଚିକିତ୍ସା ଭତ୍ତା ବନ୍ଦ କରାଯିବ। ସବୁ କର୍ମଚାରୀ ଚିକିତ୍ସା ବୀମାଭୁକ୍ତ ହୋଇସାରିଥିବାରୁ ଚିକିତ୍ସା ଭତ୍ତା ବନ୍ଦ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର କର୍ମଚାରୀଙ୍କୁ କେବଳ ଔଷଧ ଖର୍ଚ୍ଚ ବାବଦକୁ ବାର୍ଷିକ ୧୨ ହଜାର ଟଙ୍କା ମିଳିବ।

ଅନ୍ୟପଟେ ଶ୍ରୀମନ୍ଦିରର ବଜେଟ୍‌ ଉପରେ ଅର୍ଥ ସବ କମିଟି ବୈଠକରେ ଆଲୋଚନା କରାଯାଇଥିଲା। ଚଳିତବର୍ଷ ଶ୍ରୀମନ୍ଦିର ପାଇଁ ଯେଉଁ ଯେଉଁ କ୍ଷେତ୍ରରେ ଯାହା ବ୍ୟୟ ଧାର୍ଯ୍ୟ ହୋଇଥିଲା, ତାହାର ୮୦ ପ୍ରତିଶତ ଟଙ୍କା ଖର୍ଚ୍ଚ ହୋଇସାରିଥିବା ଜଣାପଡ଼ିଛି।

ପୂର୍ବରୁ ଶ୍ରୀମନ୍ଦିରରେ ପାରମାଣିକ ଦର୍ଶନ ବ୍ୟବସ୍ଥା ଚାଲୁଥିଲା। ଇଚ୍ଛୁକ ଭକ୍ତମାନେ ଟିକେଟ୍‌ କାଟି ମହାପ୍ରଭୁଙ୍କୁ ପାଖରୁ ଦର୍ଶନ କରୁଥିଲେ। କିନ୍ତୁ ଭକ୍ତଙ୍କ ଦୃଢ଼ ବିରୋଧ ଏବଂ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶ ପରେ ୨୦୧୬ ମସିହାରୁ ଏହି ପରିମାଣିକ ଦର୍ଶନ ବନ୍ଦ କରାଯାଇଥିଲା। ଏବେ ୭ ବର୍ଷ ପରେ ଏହାକୁ ପୁଣିଥରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।

Tags: #Srimandir #FinanceSubCommitteMeeting #SriJagannath #Puri

Comment