ଓଡ଼ିଶାଲାଇଭ୍ ବ୍ୟୁରୋ

  • ପରଲୋକରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର
  • ୭୫ ବର୍ଷ ବୟସରେ ଘଟିଲା ପରଲୋକ
  • ୭ଥର ବିଧାୟକ ଭାବେ ନିର୍ବଚିତ
  • ଓଡ଼ିଶା କ୍ୟାବିନେଟ୍‌ରେ ବିଭିନ୍ନ ବିଭାଗର ମନ୍ତ୍ରୀ ଦାୟିତ୍ଵରେ ଥିଲେ

ପରଲୋକରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଶନିବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା।

ଓଡ଼ିଶା ରାଜନୀତିରେ ଜଣେ ଟାଣୁଆ ନେତା ଥିଲେ ସୂର୍ଯ୍ୟ ନାରାୟଣ ପାତ୍ର। ମୋହନା ନିର୍ବାଚନ ମଣ୍ଡଳୀରୁ ୪ଥର ଏବଂ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ୩ଥର ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଶେଷ ଅବସ୍ଥାରେ ସେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ଵ କରୁଥିଲେ। ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ସେ ଦାୟିତ୍ଵ ତୁଲାଇଥିଲେ। ଏଥିସହ ରାଜ୍ୟ କ୍ୟାବିନେଟ୍‌ରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ଦକ୍ଷତା ଦେଖାଇଥିଲେ ସ୍ଵର୍ଗତ ପାତ୍ର।ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ୧୯୪୮ ମସିହାରେ ଜନ୍ମ ହୋଇଥିଲେ ସୂର୍ଯ୍ୟ ନାରାୟଣ ପାତ୍ର। ଖଲିକୋଟ୍ କଲେଜରେ ପଢ଼ିବା ସମୟରେ ଛାତ୍ରନେତା ଭାବେ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ ସେ। ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲା ରାଜନୀତିରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ସେ ସୃଷ୍ଟି କରିଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜଣେ ବିଶିଷ୍ଟ ସହଯୋଗୀ ଥିଲେ ସୂର୍ଯ୍ୟ ନାରାୟଣ ପାତ୍ର। ବିଜୁ ପଟ୍ଟନାୟକଙ୍କ ପରେ ବିଜୁ ଜନତା ଦଳ ପ୍ରତିଷ୍ଠାରେ ତାଙ୍କର ବିଶେଷ ଅବଦାନ ରହିଥିଲା। ନବୀନ ପଟ୍ଟନାୟକଙ୍କ ସରକାରରେ ଜଣେ ବରିଷ୍ଠ ନେତା ଭାବେ ଦଳରେ ତାଙ୍କ ପତିଆରା ରହିଥିଲା। ତାଙ୍କ ପରଲୋକରେ ଗଞ୍ଜାମ ଜିଲ୍ଲା ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

Tags: #SuryaNarayanPatra #OdishaPolitics #Ganjam #BJD #FormerSpeaker

LEAVE A REPLY

Please enter your comment!
Please enter your name here