ଓଡ଼ିଶାଲାଇଭ୍ ବ୍ୟୁରୋ

ଏସିଆ କପର ଗୁରୁତ୍ୱପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ ଅମୀମାଂସିତ ଭାବେ ଶେଷ ହୋଇଛି

  • ଭାରତ ୨୬୬ ରନ କରି ଅଲଆଉଟ୍
  • ଦିନିକିଆରେ କିଶନଙ୍କ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ପୂରଣ
  • ଶାହୀନଙ୍କ ବୋଲିଂରେ ଘାଇଲା ହେଲେ ରୋହିତ ଓ କୋହଲି

ଶ୍ରୀଲଙ୍କାର ପାଲେକେଲଠାରେ ଖେଳାଯାଉଥିବା ଏସିଆ କପର ଗୁରୁତ୍ୱପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ ଅମୀମାଂସିତ ଭାବେ ଶେଷ ହୋଇଛି। ପ୍ରବଳ ବର୍ଷା ପାଇଁ ଦ୍ୱିତୀୟ ଇନିଂସ ଖେଳ ଆଦୌ ହୋଇପାରିନଥିଲା।

ପ୍ରଥମେ ବ୍ୟାଟିଂ କରି ଭାରତ ୨୬୬ ରନରେ ଅଲଆଉଟ୍ ହୋଇଥିଲା। ଫଳରେ ପାକିସ୍ତାନ ଆଗରେ ୨୬୭ ରନର ଲକ୍ଷ୍ୟ ରହିଥିଲା। କିନ୍ତୁ ବର୍ଷା ପାଇଁ ପାକିସ୍ତାନ ଟିମ ବ୍ୟାଟିଂ କରିପାରିନଥିଲା। ଶେଷରେ ଉଭୟ ମ୍ୟାଚକୁ ବାତିଲ କରାଯିବା ସହ ପଏଣ୍ଟ ଭାଗ କରାଯାଇଥିଲା। https://cutm.ac.in/

ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଲଗାତର ୱିକେଟ ହରାଇ ସଂକଟରେ ପଡ଼ିଥିଲା ଭାରତ। ତେବେ ଇଷାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଗିଦାରୀ ବଳରେ ଭାରତ ସମ୍ମାନଜନକ ସ୍କୋର କରିପାରିଥିଲା।

ଭାରତର ଟପ୍ ଅର୍ଡର ବିଫଳ ହେବା ପରେ ଏକ ଲଢୁଆ ଇନିଂସ ଖେଳି ଦଳର ସ୍କୋର ସଜାଡ଼ିଥିଲେ ଇଷାନ କିଶନ। ଦିନିକିଆରେ କିଶନ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିବା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ସ୍କୋରକୁ ଆଗକୁ ବଢ଼ାଇଥିଲେ। ଇଶାନଙ୍କ ଦିନିକିଆ କ୍ୟାରିୟରର ଏହା ସପ୍ତମ ଅର୍ଦ୍ଧଶତକ। ୮୧ ବଲର ସମ୍ମୁଖୀନ ହୋଇ ୯ଟି ଚୌକା ଓ ୨ଟି ଛକା ମାରିଥିଲେ ଇଶାନ।

ଅନ୍ୟପଟେ ଶାହୀନ ଶାହ ଆଫ୍ରିଦିଙ୍କ ଘାତକ ବୋଲିଂକୁ ଭାରତୀୟ ବ୍ୟାଟ୍ସମ୍ୟାନ ସାମ୍ନା କରିପାରିନଥିଲେ। ଆଫ୍ରିଦି ଟିମ ଇଣ୍ଡିଆର ରୋହିତ ଶର୍ମା(୧୧) ଓ ବିରାଟ କୋହଲି(୪)ଙ୍କୁ ବୋଲ୍ଡ କରି ଭାରତୀୟ ବ୍ୟାଟିଂ ଲାଇନଅଫକୁ ଦୋହଲାଇ ଦେଇଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଶତକ ଆଡ଼କୁ ଯାଉଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ଆଫ୍ରିଦି। ସେ ପ୍ରଥମ ବଲରେ ହିଁ ୮୭ ରନ କରିଥିବା ପାଣ୍ଡ୍ୟାଙ୍କୁ ଆଉଟ କରି ଭାରତକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ପାଣ୍ଡ୍ୟା ତାଙ୍କ ୮୭ ରନର ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

ସେହି ଓଭରରେ ରବୀନ୍ଦ୍ର ଜାଡ଼େଜା(୧୪)ଙ୍କୁ ମଧ୍ୟ ଆଫ୍ରିଦି ଆଉଟ କରିଥିଲେ। ଏହାର ପରବର୍ତ୍ତୀ ଓଭରର ପ୍ରଥମ ବଲରେ ନଶୀମ ଶାହ ମାତ୍ର ୩ ରନ କରିଥିବା ଶାର୍ଦ୍ଦୁଲ ଠାକୁରଙ୍କୁ ଆଉଟ କରିଥିଲେ। ଶେଷ ଭାଗରେ ଯଶପ୍ରୀତ ବୁମରା କିଛି ସଟ୍ ମାରିବାରୁ ଦଳୀୟ ସ୍କୋର ୨୬୬ରେ ପହଞ୍ଚିଥିଲା।

ପାକିସ୍ତାନ ପକ୍ଷରୁ ଆଫ୍ରିଦି ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ନଶୀମ ଶାହ ଓ ହରିଶ ରୌଫ ୩ଟି ଲେଖାଏଁ ୱିକେଟ ପାଇଛନ୍ତି।

Tags: #AsiaCup2023 #ICC #AsiaCup #IndvsPak #BCCI

Comment