ଓଡ଼ିଶାଲାଇଭ୍ ବ୍ୟୁରୋ

ସନ୍ଧ୍ୟା ସମୟରେ ସହରର ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ବଡ଼ ନିଷ୍ପତ୍ତି

ସନ୍ଧ୍ୟା ସମୟରେ କଟକ ଓ ଭୁବନେଶ୍ୱରରେ ଦେଖା ଦେଉଥିବା ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ନେଇଛି ବଡ଼ ନିଷ୍ପତ୍ତି। ଉଭୟ ସହରରେ ଭାରିଯାନ ଚଳାଚଳ ଉପରେ କମିଶନରେଟ ପୋଲିସ ପକ୍ଷରୁ କଟକଣା ଜାରି ହୋଇଛି।

ସନ୍ଧ୍ୟା ୫ଟାରୁ ରାତି ସାଢ଼େ ୭ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକ ସହର ମଧ୍ୟକୁ ପଶିପାରିବନି ଟ୍ରକ। ଏନେଇ କମିଶନରେଟ ପୋଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକ‌ାଶ ପାଇଛି। ଜନସାଧାରଣଙ୍କ ସୁରକ୍ଷା ପାଇଁ ଓଡ଼ିଶା ସହରାଞ୍ଚଳ ଆଇନ୍‌ ୨୦୦୩ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ର ଧାରା ୮) ଏବଂ ପୋଲିସ କମିଶନରେଟ ଭୁବନେଶ୍ୱର-କଟକ ଟ୍ରାଫିକ ଓ ପବ୍ଲିକ ଅର୍ଡର ୨୦୦୮ ଧାରା ୩୪(୧) ଅନୁସାରେ ଏହି ନିୟମ ଲାଗୁ କରାଯାଇଛି।

ଭୁବନେଶ୍ୱର-କଟକ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ସନ୍ଧ୍ୟା ହେଲେ ଟ୍ରାଫିକ ସମସ୍ୟା ଉପୁଜୁଛି। ବିଶେଷକରି ଭୁବନେଶ୍ୱର କସମୋପଲିସ୍ ଛକଠାରୁ ହଂସପାଳ ଛକ ଏବଂ ମଧୁପାଟଣା ଛକଠାରୁ କଟକ ଶିଖରପୁର ଛକ ମଧ୍ୟରେ ଟ୍ରାଫିକ ସମସ୍ୟା ଦେଖାଯାଉଛି। ଏହାଦ୍ୱାରା ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ୬ଚକିଆ ଯାନ କିମ୍ବା ତା’ଠାରୁ ଅଧିକ ଚକବିଶିଷ୍ଟ ଯାନ (ଟ୍ରକ୍ କିମ୍ବା ଟ୍ରଲର) ଉପରେ କଟକଣା ଜାରି ହୋଇଛି। ଏହି ଯାନଗୁଡ଼ିକ ଖୋର୍ଦ୍ଧା ପିତାପଲ୍ଲୀ ଛକପଟୁ ଭୁବନେଶ୍ବର ଆଡ଼କୁ ଏବଂ ମଙ୍ଗୁଳି ଛକପଟୁ କଟକ ସହର ମଧ୍ୟକୁ ସନ୍ଧ୍ୟା ୫ଟାରୁ ସାଢ଼େ ୭ଟା ମଧ୍ୟରେ ଚଳାଚଳ କରିପାରିବ ନାହିଁ।ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏଁ ଏହି କଟକଣା ବଳବତ୍ତର ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି।

Tags: #CommissioneratePolice #Traffic #Safety #PublicSafety

 

Comment