ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟର ନବକଳେବର, ଖର୍ଚ୍ଚ ହେବ ୯କୋଟି ୫୦ ଲକ୍ଷ ଟଙ୍କା

ସ୍ମାର୍ଟସିଟିରେ ସ୍ମାର୍ଟ ହେବ ଡିସିପି କାର୍ଯ୍ୟାଳୟ। ଗୋଟିଏ ଛାତତଳେ ରହିବ କ୍ୟାମ୍ପସରେ ଥିବା ସମସ୍ତ କାର୍ଯ୍ୟାଳୟ। ଏଥିପାଇଁ ନିର୍ମାଣ ହେବ ଅତ୍ୟାଧୁନିକ ୩ମହଲା ବିଶିଷ୍ଟ କୋଠା।

ଡିସିପି ଅଫିସ କ୍ୟାମ୍ପସର ଭିନ୍ନ ଭିନ୍ନ ସ୍ଥାନରେ ଥିବା ଏକାଧିକ କୋଠା କି କାର୍ଯ୍ୟାଳୟ ଆଉ ରହିବ ନାହିଁ। ଡିସିପି କୋର୍ଟଠାରୁ ଆରମ୍ଭ କରି ସ୍ପେସାଲ ସ୍କ୍ୱାଡ, ଲାଇସେନ୍ସ ସେଲ ଓ ପୁରୁଣା ଡିସିପି କାର୍ଯ୍ୟାଳୟକୁ ଆଉ ବେଶି ଦିନ ଦେଖିବାକୁ ମିଳିବନି। ଗୋଟିଏ ଛାତତଳେ ରହିବ ଏସବୁ କାର୍ଯ୍ୟାଳୟ।ଖୁବଶୀଘ୍ର କ୍ୟାମ୍ପସରେ ଥିବା କୋଠାଗୁଡ଼ିକ ଭଙ୍ଗାଯିବ। ପାଖାପାଖି ୨୫ହଜାର ବର୍ଗଫୁଟ ଜାଗାରେ ନିର୍ମାଣ ହେବ ଅତ୍ୟାଧୁନିକ ୩ମହଲା ବିଶିଷ୍ଟ କୋଠା। ତଳମହଲାକୁ ପାର୍କିଂ ଭାବେ ବ୍ୟବହାର କରାଯିବ। ତୃତୀୟ ମହଲାରେ ଡିସିପିଙ୍କ କାର୍ଯ୍ୟାଳୟ ସାଙ୍ଗକୁ କୋର୍ଟ ରହିବ। ଦ୍ୱିତୀୟ ମହଲାରେ ସ୍ପେସାଲ ସ୍କ୍ୱାଡ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିବ। ସେହିପରି ନୂତନ କୋଠା ଭିତରକୁ କ୍ୟାମ୍ପସରେ ଥିବା ଅନ୍ୟ ସମସ୍ତ ଛୋଟ ବଡ଼ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯିବ। ଏଥିରେ ଏକ କଣ୍ଟ୍ରୋଲ ରୁମ, ଦୁଇଟି କନଫରେନ୍ସ ହଲ, କ୍ୟାଣ୍ଟିନ ଓ ଲାଇବ୍ରେରି ମଧ୍ୟ ରହିବ।

ନୂତନ କୋଠା ନିର୍ମାଣ ପାଇଁ ୯କୋଟି ୫୦ ଲକ୍ଷ ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଛି। ୧୨ମାସ ମଧ୍ୟରେ ନିର୍ମାଣ କାମ ଶେଷ କରିବା ପାଇଁ ରାଜ୍ୟ ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନକୁ ଦାୟିତ୍ୱ ଦିଆଯାଇଛି।ଏହି ନୂତନ କାର୍ଯ୍ୟାଳୟ ପୋଲିସକୁ ଏକ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗାଇବା ସହ ସହରର ଅନ୍ୟତମ ଆକର୍ଷଣୀୟ ସରକାରୀ ଅଟ୍ଟାଳିକା ଭାବେ ପରିଚିତ ହେବ। ପୂର୍ବରୁ କମିଶନରେଟ ପୋଲିସ ମୁଖ୍ୟାଳୟର ଆକର୍ଷଣୀୟ କୋଠାକୁ ନେଇ ସବୁଠି ଚର୍ଚ୍ଚା ହେଉଥିଲା। ଏବେ ନୂଆ ରୂପ ନେବାକୁ ଯାଉଥିବା ଡିସିପିଙ୍କ କାର୍ଯ୍ୟାଳୟ ମଧ୍ୟ ଚର୍ଚ୍ଚାରେ ରହିବ ବୋଲି ଆଶା କରାଯାଉଛି।

Tags: #OdishaPolice #DCPBhubaneswar #HomeDepartment #PoliceHousingWelfareCorporation

Comment