ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ଅବସରରେ ଆଜି ଭୁବନେଶ୍ଵରରେ ମାଗଣା ଇଲେକ୍ଟ୍ରିକ ମୋ-ବସ୍ ଓ ଇ-ରିକ୍ସା ଯାତ୍ରା। 

ଆଜି ଦିନକ ପାଇଁ ଭୁବନେଶ୍ଵରରେ ମାଗଣା ମୋ-ବସ୍ ସେବାର ଲାଭ ଉଠାଇବେ ଯାତ୍ରୀ। ଗୁରୁବାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ସବୁ ଇଲେକ୍ଟ୍ରିକ ମୋ-ବସ୍ ଓ ଇ-ରିକ୍ସାରେ ଯାତ୍ରା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ଅବସରରେ ବିଏମସି ଓ କ୍ରୁଟ ପକ୍ଷରୁ ମିଳିତ ଭାବେ ଏହି ପଦକ୍ଷେପ ନିଆଯାଇଛି।

ଭୁବନେଶ୍ୱରରେ ୧୧ଟି ରୁଟରେ ଚଳାଚଳ କରୁଥିବା ୫୦ଟି ଇଲେକ୍ଟ୍ରିକ ମୋ-ବସ୍ ଓ ୫୦ଟି ଇ-ରିକ୍ସାରେ ଏହି ମାଗଣା ଯାତ୍ରାର ସୁବିଧା ମିଳିବ। ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଘୋଷଣା କରିଥିଲେ।

ଗୁରୁବାର ମାଗଣା ଯାତ୍ରା ସୁବିଧା ମିଳୁଥିବା ମୋ-ବସ୍ ରୁଟ ନମ୍ବରଗୁଡ଼ିକ ହେଲା ୯, ୧୧, ୧୨, ୨୩, ୨୫, ୨୬, ୨୭, ୨୮, ୩୨, ୩୪ ଓ ୩୯। ଭୁବନେଶ୍ୱରରେ ଏହି ସବୁ ରୁଟରେ ଇଲେକ୍ଟ୍ରିକ ମୋ-ବସ ଚଳାଚଳ କରୁଛି।

ସେପ୍ଟେମ୍ବର ୭ ହେଉଛି ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ। ମିଳିତ ଜାତିସଂଘ ସାଧାରଣ ସଭାର ନିଷ୍ପତ୍ତି ଅନୁସାରେ ‘ନୀଳ ଆକାଶ ପାଇଁ ସ୍ୱଚ୍ଛ ବାୟୁ’ ଥିମରେ ଏଥର ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ‘ସ୍ୱଚ୍ଛ ବାୟୁ ପାଇଁ ଏକାଠି ହେବା’ ଚଳିତବର୍ଷର ନାରା ରହିଛି।

Tags: #ElectricMoBus #FreeRide #InternationalFreshAirDay #CRUT #BMC #Bhubaneswar

Comment