ଓଡ଼ିଶାଲାଇଭ୍ ବ୍ୟୁରୋ

ଏକମାତ୍ର ରିଷ୍ଟ ସ୍ପିନର ଭାବେ ଭାରତୀୟ ବିଶ୍ୱକପ ଦଳରେ ସ୍ଥାନ ପାଇଛନ୍ତି କୁଲଦୀପ

ଆଗାମୀ ଦିନିକିଆ ବିଶ୍ୱକପରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି କୁଲଦୀପ ଯାଦବ। ରବିନ୍ଦ୍ର ଜାଡେଜା ଓ ଅକ୍ସର ପଟେଲ ବାମହାତୀ ସ୍ପିନର ହୋଇଥିବା ବେଳେ କୁଲଦୀପ ଏକମାତ୍ର ରିଷ୍ଟ ସ୍ପିନର ଭାବରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

୨୦୨୧ ମସିହାରେ ନିଜ କ୍ୟାରିୟରକୁ ନେଇ ସନ୍ଦେହରେ ଥିବା କୁଲଦୀପ ଯାଦବ ବର୍ତ୍ତମାନ ଦେଶର ଏକ ନମ୍ବର ସ୍ପିନର ଭାବେ ପରିଚିତ ହୋଇଛନ୍ତି। ୨୦୨୧ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ଦଳରେ ସେ ସ୍ଥାନ ପାଇଥିଲେ ବି ପୁରା ସିଜିନ ବସି ରହିଥିଲେ। ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ପାଇନଥିଲେ। ଏହାପରେ ମାତ୍ର ବର୍ଷକ ଭିତରେ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରି ବିଶ୍ୱକପ ଦଳରେ ସାମିଲ ହୋଇଛନ୍ତି କୁଲଦୀପ।ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ଦୁଇ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବଂ ୱାଶିଂଟନ ସୁନ୍ଦରଙ୍କୁ ପଛରେ ପକାଇ ଏବେ ଭାରତର ଏକ ନମ୍ବର ସ୍ପିନର ପାଲଟିଛନ୍ତି କୁଲଦୀପ ଯାଦବ।

୨୦୨୩ରେ ସେ ୧୩ଟି ଏକ ଦିବସୀୟ ମ୍ୟାଚ ଖେଳି ୨୩ଟି ୱିକେଟ ନେବା ସହ ସଫଳତମ ଭାରତୀୟ ବୋଲର ବନିଛନ୍ତି। କୁଲଦୀପଙ୍କ ଏହି ସଫଳତା ପଛରେ ଦୃଢ଼ ପ୍ରତିବଦ୍ଧତା ରହିଛି ବୋଲି କହିଛନ୍ତି ତାଙ୍କ ପିଲାଦିନର କୋଚ କପିଲ ପାଣ୍ଡେ।

“କୋଲକାତା ନାଇଟ ରାଇଡର୍ସ ଆଇପିଏଲରେ ଯେତେବେଳେ ଗୋଟିଏ ବି ମ୍ୟାଚ ଖେଳିବାକୁ ଦେଇନଥିଲା ସେତେବେଳେ କୁଲଦୀପଙ୍କ ହୃଦୟ ଭାଙ୍ଗି ଯାଇଥିଲା। ଯଦି ଆଇପିଏଲରେ ଖେଳିପାରୁନି ଦେଶ ପାଇଁ ପୁଣି କେମିତି ଖେଳିବି ବୋଲି ତାଙ୍କ ମନରେ ପ୍ରଶ୍ନ ଉଠିଥିଲା”, କହିଛନ୍ତି କୋଚ କପିଲ ପାଣ୍ଡେ। କିନ୍ତୁ ସହଜରେ ହାର ମାନିନଥିଲେ କୁଲଦୀପ। ନେଟ୍ସରେ ଅଧିକ ସମୟ ବିତାଇବା ସହ ନିଜ ବୋଲିଂ ଶୈଳୀକୁ ଅଧିକ ଶାଣିତ କରିଥିଲେ।ସେ ସମୟରେ କୁଲଦୀପଙ୍କୁ ସହଯୋଗର ହାତ ବଢ଼ାଇଥିଲେ ଭାରତର ପୂର୍ବତନ ବାମହାତୀ ସ୍ପିନର ସୁନିଲ ଯୋଶୀ। ବାଙ୍ଗାଲୋର ଜାତୀୟ କ୍ରିକେଟ ଏକାଡେମୀରେ ନିଜ ତତ୍ତ୍ୱାବଧାନରେ ରଖି କୁଲଦୀପଙ୍କୁ ପ୍ରଶିକ୍ଷଣ ଦେଇଥିଲେ। “କୁଲଦୀପଙ୍କ ଭଳି ଜଣେ ବୋଲିଂ ପ୍ରତିଭା ଏପରି ହତାସ ହେବା ମତେ କଷ୍ଟ ଦେଇଥିଲା। ତେଣୁ ତାଙ୍କୁ ମୋ ଅଧିନରେ ରଖି ପ୍ରଶିକ୍ଷଣ ଦେଇଥିଲି। ବୋଲିଂର କିଛିଟା ଟେକ୍ନିକାଲ ପରିବର୍ତ୍ତନ ସହ ବୋଲିଂ ରନଅପକୁ କମାଇବା ଏବଂ ହାତର ସ୍ପିଡକୁ ଅଧିକ ବେଗମାନ କରାଇଥିଲି”, କହିଛନ୍ତି ସୁନିଲ ଯୋଶୀ।

ଆଇପିଏଲ ଦଳ ପରିବର୍ତ୍ତନ କୁଲଦୀପଙ୍କ ଲାଗି ଏକ ବରଦାନ ସଦୃଶ ହୋଇଥିଲା। କୋଲକାତାରୁ ସେ ଦିଲ୍ଲୀ ଆସିବା ପରେ ରିକି ପଣ୍ଟିଂଙ୍କ ଅଧିନରେ ଖେଳିବାର ସ୍ୱାଧୀନତା ପାଇଥିଲେ। ଦିନିକିଆ ବିଶ୍ୱକପରେ ଏଥର କୁଲଦୀପଙ୍କ ଯାଦୁ ଚାଲିବ ବୋଲି ଆଶା କରାଯାଉଛି।

Tags: #ICCWorldCup #BCCI #KuldeepYadav #DelhiCapitals

Comment