ଓଡ଼ିଶାଲାଇଭ୍ ବ୍ୟୁରୋ

‘ଯବାନ’ ଚଳଚ୍ଚିତ୍ରକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ, ପ୍ରଥମ ଦିନରେ ୫୦କୋଟିରୁ ଅଧିକ ଆୟ ସମ୍ଭାବନା

ରିଲିଜ ହୋଇଛି ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ଯବାନ’। କିଙ୍ଗ୍ ଖାନଙ୍କ ଦମଦାର ଆକ୍ସନ ସହିତ ସାଉଥ ସୁନ୍ଦରୀ ନୟନତାରାଙ୍କ ରୋମାଣ୍ଟିକ ସିନକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।

ୱାର୍କିଂ ଡେ’ ହୋଇଥିଲେ ମଧ୍ୟ ଫିଲ୍ମ ପାଇଁ ବିଭିନ୍ନ ହଲ୍‌ରେ ଆଗୁଆ ବୁକିଂ ହୋଇଥିଲା। କୋଲକାତାର ମୀରାଜ ହଲ୍‌ରେ ସକାଳ ୫ଟାରୁ ଶୋ’ ଆରମ୍ଭ ହୋଇଯାଇଛି। ସେହିଭଳି ମୁମ୍ବାଇ, ପାଟଣା, ହାଇଦ୍ରାବାଦରେ ମଧ୍ୟ ମର୍ଣ୍ଣିଂ ଶୋ’ ଆରମ୍ଭ ହୋଇଛି।ପ୍ରସିଦ୍ଧ ନିର୍ଦ୍ଦେଶକ ଏଟଲି କୁମାରଙ୍କ ନିର୍ଦ୍ଦେଶିତ ‘ଯବାନ’ ଚଳଚ୍ଚିତ୍ରରେ ଶାହରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ, ନୟନତାରା, ସାନ୍ନ୍ୟା ମାଲହୋତ୍ରା, ସୁନୀଲ ଗ୍ରୋଭର, ଯୋଗୀ ବାବୁ ଏବଂ ବିଜୟ ସେତୁପତିଙ୍କୁ ଦେଖିବାକୁ ମିଳିଛି। ୩୦୦ କୋଟି ବଜେଟରେ ନିର୍ମିତ ହୋଇଥିବା ‘ଯବାନ’ ଚଳଚ୍ଚିତ୍ର ହିନ୍ଦୀ, ତାମିଲ ଓ ତେଲଗୁ ଭାଷାରେ ମୁକ୍ତିଲାଭ କରିଛି।

‘ପଠାନ’ର ଅପୂର୍ବ ସଫଳତା ପରେ ପରଦାକୁ ଆସିଛି କିଙ୍ଗ୍ ଖାନଙ୍କ ‘ଯବାନ’। ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂ କ୍ଷେତ୍ରରେ ରେକର୍ଡ କରିଥିଲା ‘ଯବାନ’। ଏହି ଚଳଚ୍ଚିତ୍ର ପାଇଁ ଆଗୁଆ ୭ ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇଥିଲା।ସିନେ ସମୀକ୍ଷକଙ୍କ ମତରେ ପ୍ରଥମ ଦିନରେ କେବଳ ଭାରତରେ ‘ଯବାନ’ ୭୦ କୋଟି ଟଙ୍କା ଓ ବିଦେଶରେ ୫୦ କୋଟି ଟଙ୍କାର ଆୟ କରିବାର ସମ୍ଭାବନା ରହିଛି। ଯଦି ଏମିତି ହୁଏ, ତା’ହେଲେ ଏହି ଚଳଚ୍ଚିତ୍ର ସବୁ ରେକର୍ଡ ଭାଙ୍ଗିବାକୁ ସକ୍ଷମ ହେବ।

ଚଳଚ୍ଚିତ୍ରର ସଫଳତା ପାଇଁ ଦେଶର ବିଭିନ୍ନ ମନ୍ଦିରକୁ ଯାଇ ପ୍ରାର୍ଥନା କରିଛନ୍ତି ଏହାର ଷ୍ଟାରକାଷ୍ଟ। ନିକଟରେ ସୁପରଷ୍ଟାର ଶାହରୁଖ ଏବଂ ତାଙ୍କ ଟିମ୍ ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ୱରସ୍ୱାମୀଙ୍କ ମନ୍ଦିରରେ ପ୍ରାର୍ଥନା କରିଛନ୍ତି। ପୂର୍ବରୁ ଜମ୍ମୁ କଶ୍ମୀରସ୍ଥିତ ମାତା ବୈଷ୍ଣୋଦେବୀ ମନ୍ଦିର ପରିଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here