ଓଡ଼ିଶାଲାଇଭ୍ ବ୍ୟୁରୋ

“ମୁଁ କେବେ ବି କଂଗ୍ରେସର ସଦସ୍ୟ ନଥିଲି। ନିଲମ୍ବିତ କେମିତି ହେବି?”, ପ୍ରଦେଶ କଂଗ୍ରେସ କମିଟିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ ହେବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ।

ମନ୍ମଥ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ଚାକିରିରେ ଥିଲି, ମୋ ଚାକିରି କିମ୍ବା ମୋ ସମ୍ପର୍କରେ ସମ୍ପୂର୍ଣ୍ଣ ଅନୁଧ୍ୟାନ ନକରି ପିସିସି ସଦସ୍ୟ ତାଲିକାରେ କିଭଳି ମୋ ନାଁ ସାମିଲ କରାଗଲା ଏବଂ ଗ୍ରହଣ କରାଗଲା? ସଦସ୍ୟ କରାଯିବା ପୂର୍ବରୁ ମତେ ଅବଗତ କରାଯାଇ ନାହିଁ। ମୁଁ କ’ଣ କରିବି ଓ କ’ଣ କହିବି ସେଥିପାଇଁ ମୋର ସ୍ଵାଧୀନତା ରହିଛି, ତା’ ଉପରେ ଅନ୍ୟ କେହି ନିଷ୍ପତ୍ତି ନେଇପାରିବେ ନାହିଁ।”

କିଛି ଦିନ ପୂର୍ବରୁ ମନ୍ମଥ ରାଉତରାୟ କହିଥିଲେ, ସେ କୌଣସି ଦଳର ସଦସ୍ୟ ନୁହଁନ୍ତି, ସେ ସ୍ଵାଧୀନ। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଏହାର ଉତ୍ତର ଦେଇନଥିବାରୁ ଶୁକ୍ରବାର ଦିନ ପିସିସି ସଦସ୍ୟ ପଦରୁ ତାଙ୍କୁ ନିଲମ୍ବନ କରାଗଲା।

କାରଣ ଦର୍ଶାଅ ନୋଟିସକୁ ନେଇ ମନ୍ମଥ କହିଛନ୍ତି, “ପ୍ରଥମ କଥା ହେଲା ମୁଁ କଂଗ୍ରେସ ଦଳରେ ନାହିଁ। ମୋତେ କାରଣ ଦର୍ଶାଅ ନୋଟିସ୍ ପଠାଯିବା ଠିକ୍ ନୁହେଁ। ମୁଁ ଏହି ନୋଟିସର ଉତ୍ତର ଦେବାକୁ ବାଧ୍ୟ ନୁହେଁ। ମୋତେ ଭୁଲରେ ଦଳ ସଦସ୍ୟ କଲା ଏବଂ ନିଲମ୍ବନ କରି ଭୁଲ ଉପରେ ଭୁଲ କଲା।”

ମନ୍ମଥ କହିଛନ୍ତି, କୌଣସି ଦଳରେ ସାମିଲ ହେବା ତାଙ୍କର ନିଜସ୍ଵ ପସନ୍ଦ। ଚାକିରି ଛାଡ଼ିବା ପରେ ସେ ନିଷ୍ପତ୍ତି ନେବେ ରାଜନୀତିରେ ଯୋଗ ଦେବେ କି ନାହିଁ।

ଅନୁମତି ନପାଇ ପିସିସିର ସଦସ୍ୟତା ପାଇଁ କିଏ ମନ୍ମଥଙ୍କ ନାଁ ସୁପାରିଶ କଲା? ଚାକିରି ଛାଡ଼ିବା ପରେ କେଉଁ ରାଜନୈତିକ ଦଳରେ ସାମିଲ ହେବେ ମନ୍ମଥ ରାଉତରାୟ? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

Tags: #Politics #OdishaPolitics #Congress #ManmathRoutaray

LEAVE A REPLY

Please enter your comment!
Please enter your name here