ଓଡ଼ିଶାଲାଇଭ୍ ବ୍ୟୁରୋ

ପାଖେଇ ଆସୁଛି ଗଣେଶ ପୂଜା, ୩ ଲକ୍ଷ ପରିବା ମଞ୍ଜିରେ ଗଢ଼ାହେବ ବିଘ୍ନ ବିନାଶକଙ୍କ ପ୍ରତିମୂର୍ତ୍ତି

ପାର୍ବଣ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଜମି ଆସିଲାଣି ଉତ୍ସବର ଆସର। ଆଉ ଦିନ କେଇଟା ପରେ ଗଣେଷ ପୂଜା। ଏଥିପାଇଁ କ୍ଲବଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ, ସବୁଠି ଚାଲିଛି ପ୍ରସ୍ତୁତି। ସାଜସଜ୍ଜାକୁ ନେଇ ପୂଜାମଣ୍ଡପଗୁଡ଼ିକରେ ଲାଗିଗଲାଣି ପ୍ରତିଯୋଗିତା।

କେଉଁଠି ଠାକୁରଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ଉପରେ ଗୁରୁତ୍ୱ ଦିଆଯାଇଛି ତ ଆଉ କିଏ ତୋରଣ ସାଜସଜ୍ଜା ଉପରେ ଧ୍ୟାନ ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଲା ପୂଜା ମାଧ୍ୟମରେ ପ୍ରଦୂଷଣ ରୋକିବା ଓ ସଚେତନତା ବାର୍ତ୍ତା ବାଣ୍ଟିବାକୁ ପୂଜା କମିଟିମାନେ ଆଗେଇ ଆସିଛନ୍ତି।

ପ୍ରତିବର୍ଷ ପରିବେଶ କଥା ଚିନ୍ତା କରି ମୂର୍ତ୍ତି ଗଢ଼ୁଥିବା ବୁଦ୍ଧେଶ୍ୱରୀ କଲୋନି ‘ମଙ୍ଗଳା ୟୁଥ୍‌ କ୍ଲବ୍‌’ ପକ୍ଷରୁ ଏଥର ୩ ଲକ୍ଷ ପରିବା ମଞ୍ଜିରେ ଗଢ଼ାଯିବ ବିଘ୍ନ ବିନାଶକଙ୍କ ପ୍ରତିମା। କଲରା, ଜହ୍ନି, କଖାରୁ, କାକୁଡ଼ି, ମକା, ଝୁଡ଼ଙ୍ଗ, ଧାନକୁ ନେଇ ମୂର୍ତ୍ତି ପ୍ରସ୍ତୁତ ହେବ। ଏଥିପାଇଁ ୩ ଲକ୍ଷ ମଞ୍ଜି ସଂଗ୍ରହ କରାଯାଇଛି। କ୍ଲବ ପକ୍ଷରୁ ସାଢ଼େ ୮ଫୁଟ ଉଚ୍ଚର ମୂର୍ତ୍ତି ତିଆରି କରାଯାଉଥିବ‌ା ବେଳେ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ରଙ୍ଗର ମଞ୍ଜି ବ୍ୟବହାର କରାଯିବ।ମୂର୍ତ୍ତି ତିଆରିରେ କୌଣସି ରଙ୍ଗର ବ୍ୟବହାର କରାଯିବ ନାହିଁ। “ମଞ୍ଜିରେ ମୂର୍ତ୍ତି ତିଆରି କରିବାର ୨ଟି ଉଦେଶ୍ୟ ରହିଛି। ଯଦି ଏହି ମୂର୍ତ୍ତିକୁ କୌଣସି ପ୍ରାକୃତିକ ଜଳାଶୟରେ ବିସର୍ଜନ କରାଯାଏ, ତେବେ ମଞ୍ଜିଗୁଡ଼ିକ ମାଛମାନଙ୍କ ଖାଦ୍ୟ ହୋଇପାରିବ। ଏଥିସହ କିଛି ମଞ୍ଜି କୂଳରେ ଲାଗି ଗଛ ବି ହୋଇପାରିବ”, କହିଛନ୍ତି କ୍ଲବ ସମ୍ପାଦକ ସଞ୍ଜୟ କୁମାର ଆଚାର୍ଯ୍ୟ।

ବଡ଼ଗଡ଼ ଗାଁରେ ଏଥର ପୂଜା ପାଇବେ ଚଳିତ ବର୍ଷର ସବୁଠାରୁ ବଡ଼ ଗଣେଶ। ୫୫ ଫୁଟ ଉଚ୍ଚତାର ଏହି ଗଣେଶ ପ୍ରତିମାକୁ ‘ବ୍ରାଇଟ୍‌ ଷ୍ଟାର ୟୁଥ୍‌ ଆସୋସିଏସନ’ ପକ୍ଷରୁ ପ୍ରସ୍ତୁତ କରାଯାଉଛି। ଖାଲି ସେତିକି ନୁହେଁ, ୧୦ କେଜି ଓଜନର ରୂପାକୁ ନେଇ ପ୍ରସ୍ତୁତ ହେଉଛି ଗଣେଶଙ୍କ ପାଦ। ଏଥିପାଇଁ ମାସେ ଆଗରୁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି।ନୂଆପଲ୍ଲୀରେ ଏଥର ପୂଜା ପାଇବେ ୫୧ ଫୁଟର ବାଲ୍‌ ଗଣେଶ। ମୁଣ୍ଡରେ ପିନ୍ଧିବେ ପଞ୍ଜାବୀ ମୁକୁଟ। ଏଥିସହ ବାଲ୍‌ ଗଣେଶଙ୍କୁ ରାଜଉଆସରେ ପ୍ରତିଷ୍ଠିତ କରାଯିବ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ତ୍ରିରଙ୍ଗା ରଙ୍ଗ‌ରେ ରଙ୍ଗିନ ଦିଶିବ ତୋରଣ, ଆଉ ଭିତରେ ରହିବ ଚନ୍ଦ୍ରାଯାନ-୩ର ମଡେଲ।

କେବଳ ବୁଦ୍ଧେଶ୍ୱରୀ କଲୋନି କି ବଡ଼ଗଡ଼ କି ନୂଆପଲ୍ଲୀ ନୁହେଁ। ରାଜଧାନୀର ଶତାଧିକ ସ୍ଥାନରେ ବିଘ୍ନ ବିନାଶକଙ୍କ ପୂଜାର୍ଚ୍ଚନା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।

Tags: #GaneshPuja #Festival #Culture #EnvirinmentFriendlyPuja #PujaDecoration

 

LEAVE A REPLY

Please enter your comment!
Please enter your name here