ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘ଇଣ୍ଡିଆ ଏବଂ ‘ଭାରତ’ ଶବ୍ଦକୁ ନେଇ ଲାଗି ରହିଥିବା ଆଲୋଚନା ସମାଲୋଚନା ଦେଶ ଡେଇଁ ଏବେ ବିଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

‘ଇଣ୍ଡିଆ’ ଓ ‘ଭାରତ’ ଶବ୍ଦକୁ ନେଇ ଏବେ ଚାରିଆଡ଼େ ଆଲୋଚନା। ଏହା କେବଳ ଦେଶର ରାଜନୈତିକ ଦଳଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ, ବିଦେଶରେ ମଧ୍ୟ ଏହି ସମ୍ଭାବ୍ୟ ପରିବର୍ତ୍ତନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଜି-୨୦ ସମାବେଶରେ ଯୋଗଦେଇଥିବା ରାଷ୍ଟ୍ରମୁଖ୍ୟ, ବିଶିଷ୍ଟ ଅତିଥିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ ପତ୍ରରେ ବ୍ୟବହାର ହେଉଥିବା ‘ଇଣ୍ଡିଆ’ ଶବ୍ଦ ବଦଳରେ ‘ଭାରତ’ର ପ୍ରୟୋଗରୁ ହିଁ ଏହି ଆଲୋଚନାର ସୂତ୍ରପାତ ହୋଇଛି। ଜି-୨୦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ ଉପରେ ଇଣ୍ଡିଆ ପରିବର୍ତ୍ତେ ‘ଭାରତ’ ଲେଖା ଦେଖିବାକୁ ମିଳିଥିଲା।

ମୋଦୀ ସରକାର ଏହି ପରିବର୍ତ୍ତନ ଆରଏସ୍‍ଏସ୍‍ ଚାପରେ କରିଥିବା କୁହାଯାଉଥିବାବେଳେ ବିରୋଧୀ ଦଳଙ୍କ ‘ଇଣ୍ଡିଆ’ ମେଣ୍ଟକୁ ଡିରି ଏଭଳି କରାଯାଇଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି। ଭୋକ ବିକଳରେ ତାଟିଆ କାମୁଡ଼ିଲା ପରି ମୋଦୀ ସରକାର ଦେଶର ବିଭିନ୍ନ ପ୍ରସଙ୍ଗକୁ ଏଡ଼ାଇବା ଲାଗି ଏପରି କରୁଥିବା ମଧ୍ୟ ସମାଲୋଚନା ଅରମ୍ଭ ହୋଇଛି। ଏହାକୁ ନେଇ ବିଭିନ୍ନ ସୋସିଆଲ୍‍ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

ଦେଶର ପ୍ରମୁଖ ଅନୁଷ୍ଠାନ ଆଇଆଇଟି, ଆଇଆଇଏମସ୍, ଆଇଆଇଏମ୍‍ସି ଭଳି ଅନୁଷ୍ଠାନଗୁଡ଼ିକର ନାଁକୁ କିପରି ପରିବର୍ତ୍ତନ କରାଯିବ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି। ଯଦି ‘ଇଣ୍ଡିଆ’କୁ ସରକାର ସମ୍ବିଧାନରୁ ବାଦ୍‍ ଦେବା ଲାଗି ପ୍ରସ୍ତାବ ପାରିତ କରୁଛନ୍ତି ତେବେ ପଛ ବା ଆଗରେ ଇଣ୍ତିଆ ଶବ୍ଦକୁ ଧାରଣ କରୁଥିବା ରାଜନୈତିକ ଦଳଗୁଡ଼ିକର ଅବସ୍ଥା କ’ଣ ହେବ ଏହା ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।

ନିର୍ବାଚନ କମିଶନଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ରାଜନୈତିକ ଦଳ ଓ ପଞ୍ଜୀକୃତ ଦଳଗୁଡ଼ିକର ନାମ ଉପରେ ଯଦି ନଜର ପକାଯାଏ ତେବେ ପରିସ୍ଥିତି ଆହୁରି ଅଡ଼ୁଆ ହେବ। କାରଣ ଅଧିକାଂଶ ରାଜନୈତିକ ଦଳଗୁଡ଼ିର ନାଁରେ ‘ଇଣ୍ଡିଆ’ ଯୋଡ଼ା ହୋଇଛି।

ଜାତୀୟ ଦଳ ବିଜେପି (ଭାରତୀୟ ଜନତା ପାର୍ଟି)ର ନାମ ସହିତ ଭାରତ ଯୋଡ଼ି ହୋଇଛି। ଅନ୍ୟ ପକ୍ଷରେ କଂଗ୍ରେସ (ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ) ସହିତ ଇଣ୍ଡିଆ, ଟିଏମସି ସହିତ ଅଲ ‘ଇଣ୍ଡିଆ’ ତୃଣମୂଳ କଂଗ୍ରେସ ଓ ସିପିଆଇ (କମ୍ୟୁନିଷ୍ଟ୍ ପାର୍ଟି ଅଫ୍ ଇଣ୍ଡିଆ) ଆଦିରେ ‘ଇଣ୍ଡିଆ’ ସାମିଲ୍‍ ରହିଛି।

ଦେଶର ଅନେକ ରାଜ୍ୟରେ ଆଞ୍ଚଳିକ ଦଳ ଶାସନ କ୍ଷମତାରେ ଅଛନ୍ତି। ଟିଏମସି ପଶ୍ଚିମବଙ୍ଗରେ ଶାସନ କରୁଛି। ଏହାର ନାମରେ ଅଲ୍ ଇଣ୍ଡିଆ ଲାଗିଛି। କିନ୍ତୁ ଏହା ଜାତୀୟ ଦଳ ନୁହେଁ। ଭୋଟ ପ୍ରତିଶତ ଦୃଷ୍ଟିରୁ ଏହା ଆଞ୍ଚଳିକ ଦଳ। ବିଜେପି ବ୍ୟତୀତ ଏନଡିଏରେ ସାମିଲ ଥିବା କେବଳ ଗୋଟିଏ ଦଳର ନାମରେ ‘ଭାରତ’ ରହିଛି। କେରଳରୁ ଆସୁଥିବା ଏହି ଦଳର ନାଁ ହେଉଛି ‘ଭାରତ ଧର୍ମ ଜନସେନା’। ଏନଡିଏରେ ଏଭଳି ତିନୋଟି ଦଳ ଅଛନ୍ତି ଯେଉଁମାନଙ୍କ ନାଁରେ ଇଣ୍ଡିଆ ରହିଛି। ସେହି ଦଳଗୁଡ଼ିକ ହେଉଛନ୍ତି ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ କାଜଗମ (ଏଆଇଏଡିଏମକେ), ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ ଓ ଇଣ୍ଡିଆ ଏନଆର କଂଗ୍ରେସ।

ସେହିଭଳି ବାମପନ୍ଥୀ ଦଳ ଫରୱାର୍ଡ୍ ବ୍ଲକର ପୁରା ନାମରେ ଇଣ୍ଡିଆ ଶବ୍ଦ ରହିଛି। ଅସଦଉଦ୍ଦିନ ଓ ବେସୀଙ୍କ ଦଳର ନାମରେ ମଧ୍ୟ ଇଣ୍ଡିଆ ଅଛି। ଏହି ଦଳର ସଂକ୍ଷିପ୍ତ  ନାମ ହେଉଛି ଏଆଇଏମ୍-ଅଲ ଇଣ୍ଡିଆ ମଜଲିସ ଏ ଇତେହାଦୁଲ ମୁସ୍ଲିମିନ୍। ସେହିଭଳି ଆସାମରେ ଗୋଟିଏ ଆଞ୍ଚଳିକ ଦଳର ନାଁ ହେଉଛି ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ସି. ଚନ୍ଦ୍ରଶେଖର ଗତ ବର୍ଷ ନିଜ ଦଳର ନାଁ ଟିଆରଏସ (ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି) ର ନାମ ଭାରତ ରାଷ୍ଟ୍ର ସମିତି କରିଥିଲେ। ଦେଶର ପ୍ରଥମ କମ୍ୟୁନିଷ୍ଟ୍ ପାର୍ଟି ସିପିଆଇର ନାଁରେ ବି ଇଣ୍ଡିଆ ରହିଛି। ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତଲାଙ୍କ ଦଳର ନାଁ ହେଉଛି ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ। କେରଳରେ ସକ୍ରିୟ ଥିବା ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗର ନାଁରେ ମଧ୍ୟ ଇଣ୍ଡିଆ ରହିଛି।

Tags: #Politics #IndianPolitics #indiavsbharat #debate

Comment