ଓଡ଼ିଶାଲାଇଭ୍ ବ୍ୟୁରୋ

ବରଖାସ୍ତ ନିର୍ଦେଶନାମାରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲିକି ନକଲି ତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ।

“ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ୨ ମିନିଟ୍ ସମୟ ମାଗିଥିଲି। ସମୟତ ମିଳିଲା ନାହିଁ, ହେଲେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ବରଖାସ୍ତ ନିର୍ଦେଶନାମାଟି ମିଳିଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲି କି ନକଲି ମୋର ସନ୍ଦେହ ହେଉଛି”, ବିଜେଡିର ଉପସଭାପତି ପଦବୀରୁ ହଟିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଉପସଭାପତି ପଦବୀରୁ ବାଦ ପଡ଼ିବା ନେଇ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, “ଏହି ପଦବୀରୁ ବାହାରିବା ପରେ ମୁଁ କିଛି ହରେଇଛି ବୋଲି ଭାବୁନାହିଁ। ଏହି ପଦବୀରେ ରହି ମୁଁ କ’ଣ କରୁଥିଲି କି? ଏହା କେବଳ ଆଳଙ୍କାରିକ ଥିଲା।”

ସୌମ୍ୟରଞ୍ଜନ ପଟ୍ଟନାୟକ ଲେଖିଥିବା ସମ୍ପାଦକୀୟ ‘ଆତ୍ମ ବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଶୀର୍ଷକକୁ ନେଇ ଶଙ୍ଖ ଶିବିରରେ ଝଡ଼ ଉଠିଥିଲା। ଏହା ପରେ ଦଳୀୟ ବିଧାୟକମାନେ ତାଙ୍କୁ ସିଧାସଳଖ କଡ଼ା ସମାଲୋଚନା କରିବା ସହ ସୌମ୍ୟରଞ୍ଜନ ଦଳ ବିରୋଧୀ କାର୍ଯ୍ୟ କରୁଥିବା କହିଥିଲେ। ଏହାକୁ ନେଇ ଉଭୟ ଦଳୀୟ ବିଧାୟକ ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା।

ଏହା ପରେ ମଙ୍ଗଳବାର ଦିନ ଦଳର ଉପସଭାପତି ପଦବୀରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ହଟାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତ ଥିବା ନିର୍ଦେଶନାମାରେ ସୌମ୍ୟଙ୍କୁ ପଦବୀରୁ ଅନ୍ତର କରାଯିବାର କାରଣ ଉଲ୍ଲେଖ କରାଯାଇ ନାହିଁ। ଉପସଭାପତି ପଦବୀ ଯାଇଥିଲେ ମଧ୍ୟ ବିଜେଡିରେ ତାଙ୍କର ସଦସ୍ୟତା ବଜାୟ ରହିଛି।

ସୌମ୍ୟରଞ୍ଜନ ଆହୁରି ମଧ୍ୟ କହିଛନ୍ତି ଦୁଇ ସପ୍ତାହ ତଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ୨ ମିନିଟର ସମୟ ମାଗିଥିଲେ। କିନ୍ତୁ ତାଙ୍କୁ ସାକ୍ଷାତ ପାଇଁ ସମୟ ଦିଆଯାଇ ନଥିଲା। ହଠାତ୍ ଆଜି ଏଭଳି ନିର୍ଦେଶ ପରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତକୁ ନେଇ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।

ପୂର୍ବରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମନ୍ତବ୍ୟରେ କହିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ପାଦକୀୟ ଲେଖିବା କିମ୍ବା ଦଳରେ ରହିବା ଗୋଟିଏକୁ ବାଛନ୍ତୁ। ଏହାକୁ ନେଇ ସୌମ୍ୟରଞ୍ଜନ କଟାକ୍ଷ କରି କହିଥିଲେଏ “ମନ୍ତ୍ରୀ ମୋତେ ନିର୍ଦେଶ ଦେଇପାରିବେ ନାହିଁ ମୁଁ ଦଳରେ ରହିବି କି ନାହିଁ। ମୁଁ ଦଳରେ ଅଛି ମୋତେ ଗର୍ବ ଅନୁଭବନ ହେଉଛି। ମୋର ଦଳ ଛାଡ଼ିବାର ନାହିଁ।”

Tags: #Politics #OdishaPolitics #SoumyaRanjanPatnaik #BJD

Comment