ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରମାଗତ ଷଷ୍ଠ ଥର ପାଇଁ ବିଶ୍ଵବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୩-୨୪ ଶିକ୍ଷାବର୍ଷ କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ଉଲ୍ଲେଖ ନଥିବା ଦେଖିବାକୁ ମିଳିଛି।

୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ଵବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକ ପାଇଁ କମନ ଏକାଡେମିକ କ୍ୟାଲେଣ୍ଡର ଲାଗୁ ହୋଇଛି। ଏହି କ୍ୟାଲେଣ୍ଡରରେ ୧୮୦ ଦିନ ପାଠପଢ଼ା, ରବିବାର ଛୁଟି ବ୍ୟତୀତ ୭୨ଟି ଛୁଟି ଏବଂ ୨୦୨୪ ମେ’ ୫ରୁ ଜୁନ ୧୯ ତାରିଖ ମଧ୍ୟରେ ଗ୍ରୀଷ୍ମ ଛୁଟି ଲାଗି ଉଲ୍ଲେଖ ରହିଛି। ଏହା ସହିତ ଆସନ୍ତା ଅକ୍ଟୋବର ୨୧ରୁ ୨୮ ତାରିଖ ପୂଜା ଛୁଟି ଲାଗି ଉଲ୍ଲେଖ କରାଯାଇଛି।

ବିଭିନ୍ନ କାରଣକୁ ନେଇ ଗତ ୨୦୧୮ ମସିହାଠାରୁ ୨୦୨୨ ମସିହା ପର୍ଯ୍ୟନ୍ତ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ। ଚଳିତ ବର୍ଷ କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ କୌଣସି ଉଲ୍ଲେଖ ନଥିବାରୁ ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି।

ଏ ପଟେ ଛାତ୍ର ସଂସଦ ନିର୍ବାଚନ କରାଯିବା ପାଇଁ ଆଇନର ଆଶ୍ରୟ ନେବ ବୋଲି କହିଛି ବିଜେପି ଯୁବ ମୋର୍ଚ୍ଚା।

Tags: #Politics #OdishaPolitics #Election #studentunionelection

LEAVE A REPLY

Please enter your comment!
Please enter your name here