ଓଡ଼ିଶାଲାଇଭ୍ ବ୍ୟୁରୋ

ଲଗାଣ ବର୍ଷା ଯୋଗୁଁ ବିଚ୍ଛିନ୍ନ ହେଲା ଯୋଗାଯୋଗ, ରୋଗୀଙ୍କୁ ଖଟିଆ ଭାରରେ ବୋହି ଡାକ୍ତରଖାନା ନେଇଥିଲେ ପରିବାର ଲୋକ। କିନ୍ତୁ ବିଳମ୍ବ ଚିକିତ୍ସା ପାଇଁ ବଞ୍ଚି ପାରିଲେନି ରୋଗୀ।

(ଫୁଲବାଣୀରୁ ସଦାଶିବ ପାତ୍ର): ଲଗାଣ ବର୍ଷା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଖଟିଆ ଭାରରେ ରୋଗୀଙ୍କୁ ଧରି ଡାକ୍ତରଖାନାରେ ପହଞ୍ଚିଲେ ପରିବାର ଲୋକେ। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବାରେ ବିଳମ୍ବ ହେବାରୁ ଚାଲିଗଲା ରୋଗୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଡାଙ୍ଗାଣାମ ଗାଁରେ। ମୃତକ ହେଉଛନ୍ତି ସଂକୀର୍ତ୍ତନ ଭୋଇ।

ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଜଳବନ୍ଦୀ ଅବସ୍ଥାରେ ରହିଥିଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର ଡାଙ୍ଗାଣାମ ଗାଁ। ଏହି ସମୟରେ ବୁଗେରମାସ୍କା ସାହିର ସଂକୀର୍ତ୍ତନ ଭୋଇ ଅସୁସ୍ଥ ହୋଇପଡ଼ିଥିଲେ। ଧୀରେ ଧୀରେ ତାଙ୍କ ଅବସ୍ଥା ବିଗିଡ଼ିବାକୁ ଲାଗିଥିଲା। ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ତାଙ୍କୁ ଡାକ୍ତରଖାନା ନେବା ପାଇଁ ଚିନ୍ତାରେ ପଡ଼ିଯାଇଥିଲେ ପରିବାର ଲୋକେ।

ଫିରିଙ୍ଗିଆ କିମ୍ବା ଜିଲ୍ଲା ଡାକ୍ତରଖାନାକୁ ଯିବା ପାଇଁ କୌଣସି ରାସ୍ତା ନଥିବାରୁ ପରିବାର ଲୋକେ ସୋନପୁର ଡାକ୍ତରଖାନାକୁ ଯିବାକୁ ସ୍ଥିର କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ ପରିବାର ଲୋକେ ସଂକୀର୍ତ୍ତନଙ୍କୁ ଏକ ଖଟିଆ ଭାରରେ ବସାଇ ପ୍ରାୟ ୫ କିଲୋମିଟର ଘଞ୍ଚ ଜଙ୍ଗଲ ଏବଂ ପାହାଡ଼ ରାସ୍ତା ଅତିକ୍ରମ କରି ଭାଟୁଲି ଗାଁ ପର୍ଯ୍ୟନ୍ତ ପହଞ୍ଚିଥିଲେ। ସେଠାରୁ ଏକ ଗାଡ଼ି କରି ସୋନପୁର ଜିଲ୍ଲା ଚିକିତ୍ସାଳୟରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସଂକୀର୍ତ୍ତନଙ୍କ ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

କନ୍ଧମାଳ ଜିଲ୍ଲାର ଏକ ଅପହଞ୍ଚ ଗାଁ ହେଉଛି ଡାଙ୍ଗାଣାମ। ସମସ୍ତ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଏହି ଗାଁର ଲୋକେ। ଏହି ଗାଁକୁ ପକ୍କା ରାସ୍ତା ଦୂରରେ ଥାଉ ପାଦ ଚଲା ରାସ୍ତାଟିଏ ମଧ୍ୟ ନାହିଁ। ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବଣ, ପାହାଡ଼ ଦେଇ ଯିବାକୁ ପଡ଼େ ଡାଙ୍ଗାଣାମ ଗାଁର ଲୋକଙ୍କୁ।

ଶିକ୍ଷା, ସ୍ଵାସ୍ଥ୍ୟ ଏବଂ ଗମନାଗମନ ସୁବିଧାରୁ ବଞ୍ଚିତ ଏହି ଗାଁର ଲୋକ। ଗାଁକୁ ଭଲ ରାସ୍ତାଟିଏ କରିବାକୁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Tags: #Kandhamal #hospital #connectivity #death #treatment

Comment