ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ମୌସୁମୀ ଅଧିବେଶନ ପାଇଁ ସେପ୍ଟେମ୍ୱର ୨୨ ତାରିଖରୁ ଅକ୍ଟୋବର ୪ ଯାଏଁ ଲାଗୁ ହେବ ଟ୍ରାଫିକ କଟକଣା

ସେପ୍ଟେମ୍ୱର ୨୨ ତାରିଖରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ। ଏହାକୁ ଦୃଷ୍ଟିରେ ରଖି ବିଧାନସଭାକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ଲାଗୁ ହେବ ଟ୍ରାଫିକ କଟକଣା। ଗାଡ଼ି ଚଳାଚଳ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି, ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮(ଓଡ଼ିଶା ଆକ୍ଟ ୨୦୦୭ର ଧାରା ୮) ଏବଂ କମିଶନରେଟ ପୋଲିସ ଭୁବନେଶ୍ୱର-କଟକ ଟ୍ରାଫିକ ଓ ପବ୍ଲିକ ଅର୍ଡର ଓ ରେଗୁଲେସନ ୨୦୦୮ ଧାରା ୩୬ ଅନୁସାରେ କଟକଣାଗୁଡ଼ିକ ଲାଗୁ କରାଯାଇଛି।

ଟ୍ରାଫିକ କଟକଣା:

  • ହାଉସିଂବୋର୍ଡ ଛକ ପଟୁ ଆସୁଥିବା ସମସ୍ତ ଯାନବାହାନଗୁଡ଼ିକ କେଶରୀ ଟକିଜ୍ ଠାରୁ ଆଗକୁ ନଯାଇ ବାମ ପାର୍ଶ୍ୱ ରାସ୍ତା ଦେଇ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ।
  • ଏ.ଜି.ଛକ ପଟୁ ପିଏମଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ ଜୟଦେବ ଭବନ ପାଖରେ ଡ଼ାହାଣ ପାର୍ଶ୍ୱରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ଯାତାୟତ କରିବେ।
  • ମାଷ୍ଟରକ୍ୟାଣ୍ଟିନ ଛକ ପଟୁ ଅପର ପିଏମଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ ଲୋୟର ପିଏମଜି ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ। କିନ୍ତୁ ସେମାନେ ମହାତ୍ମାଗାନ୍ଧୀ ମାର୍ଗ ଦେଇ ଯାଇପାରିବେ ନାହିଁ।
  • ୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ରମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନଗୁଡ଼ିକ ପାୱାର ହାଉସ ଛକ ଆଡ଼କୁ ଯିବେ।
  • ରାଜଭବନ ଛକ ପଟୁ ଏମଏଲଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନଗୁଡ଼ିକ ଶାସ୍ତ୍ରୀ ନଗର ଛକ ଆଡ଼କୁ ଯିବେ।

ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ଯାନବାହାନ (ପୋଲିସ, ଅଗ୍ନିଶମ ଓ ଆମ୍ୱୁଲାନ୍ସ) ଏବଂ ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଗାଡ଼ିଗୁଡ଼ିକ ପାଇଁ ଏହି କଟକଣା ଲାଗୁ ହେବ ନାହିଁ।

ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ଏହି କଟକଣା ବଳବତ୍ତର ରହିବ।

Tags: #OdishaAssembly #MonsoonSession #TrafficRestrictions #ComissioneratePolice #DCPTraffic

Comment