ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରବିବାର ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଠାରେ ରାଜ୍ୟର ୮୦ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସେବା ଓ ସାହସିକତା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରି ସମ୍ମାନିତ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତାମାନଙ୍କୁ ପଦକ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ୨୦୨୧ ସ୍ଵଧୀନତା ଦିବସ ଅବସରରେ ରାଷ୍ଟ୍ରପତି ସାହସିକତା ପଦକ ପାଇଁ ଯୋଗ୍ୟ ବିବେଚିତ ଓଡ଼ିଶା ପୋଲିସର ୬୭ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମନୀତ କରାଯାଇଥିଲା। ରାଜ୍ୟପାଳ ସେମାନଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରିଥିଲେ।

୨୦୧୯ ଓ ୨୦୨୦ ମସିହାରେ କୋରାପୁଟ, କଳାହାଣ୍ଡି, କନ୍ଧମାଳ ଏବଂ ମାଲକାନଗିରି ଜିଲ୍ଲାରେ ଭିନ୍ନ ଭିନ୍ନ ୯ଟି ମାଓ ଦମନ ଅଭିଯାନରେ ଉଚ୍ଚକୋଟୀର ସାହସିକତା ପ୍ରଦର୍ଶନ କରିଥିବାରୁ ଏହି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ରାଷ୍ଟ୍ରପତି ପଦକ ପାଇଁ ମନୋନୀତ କରାଯାଇଥିଲା।

ରାଜ୍ୟ ଅତିରିକ୍ତ ପୋଲିସ ଡିଜି ରାଧା କିଶନ ଶର୍ମା ଓ ଡେପୁଟି ସୁବେଦାର ବୁଦ୍ଧି ବାହାଦୁର ଥପାଙ୍କୁ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଛି। ସେହିପରି ଅନ୍ୟ ରାଜ୍ୟର ୧୧ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ଦିଆଯାଇଛି। ସେମାନେ ୨୦୨୧ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ଏବଂ ପୋଲିସ ଡିଜି ସୁନୀଲ କୁମାର ବଂଶଲ ପ୍ରମୁଖ ଯୋଗ ଦେଇଥିଲେ।

Tags: #StateLevelMedalCeremony #PresidentMedal #OdishaPolice #Governor #Bhubaneswar

LEAVE A REPLY

Please enter your comment!
Please enter your name here