ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଜେଡ୍‍ ପ୍ଲସ୍‍ ସୁରକ୍ଷା ବଦଳରେ ପୋଲିସର ସ୍ଵତନ୍ତ୍ର ସ୍କ୍ୱାଡ୍‍। 

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ପାଇଁ ଗଠନ ହେବ ସ୍ଵତନ୍ତ୍ର ସ୍କ୍ୱାଡ୍‍। ଏଥିରେ ରାଜ୍ୟ ପୋଲିସର ୯୧ ଜଣ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହେବେ। ଜେଡ୍‍ ପ୍ଲସ୍‍ ସୁରକ୍ଷା ବଦଳରେ ପୋଲିସର ଏହି ସ୍କ୍ୱାଡ୍‍ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାର ସବୁ ଦାୟିତ୍ଵ ବହନ କରିବ। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏହି ସ୍ଵତନ୍ତ୍ର ସ୍କ୍ୱାଡରେ ୨୬ଟି ବର୍ଗର ବିଭିନ୍ନ ଅଧିକରୀ ରହିବେ। ଦୁଇ ଜଣ ଡେପୁଟି କମାଣ୍ଡାଣ୍ଟ ଏହାର ମୁଖ୍ୟ ହେବେ। ତାଙ୍କ ତଳକୁ ରାଜ୍ୟ ସଶସ୍ତ୍ର ବହିନୀର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଇନ୍ସପେକ୍ଟର, ଏସଆଇ, ଏଏସଆଇ ରହିବେ। ସ୍କ୍ୱାଡର ସବୁଠୁ ଶେଷ ସ୍ତରରେ ପୋଲିସ କନଷ୍ଟେବଳ ଓ ଡ୍ରାଇଭର ରହିବେ।

ସେହିପରି ବୋମା ନିଷ୍କ୍ରିୟ ଦଳ ସହ ଡଗ ସ୍କ୍ୱାଡ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ରହିବେ। ଏହି ଦଳର ସବୁ ସଦସ୍ୟଙ୍କୁ ସୁରକ୍ଷା ପାଇଁ ଅତ୍ୟାଧୁନିକ ଟ୍ରେନିଂ ଦିଆଯିବ। ବିଭିନ୍ନ ଧରଣର ଆତ୍ମଘାତି ଆକ୍ରମଣ, ଷଡ଼ଯନ୍ତ୍ର ଆଦିରୁ ମୁଖ୍ୟମନ୍ତ୍ରୀଙ୍କୁ ରକ୍ଷା କରିବ ଏହି ସ୍କ୍ୱାଡ।

ଚଳିତବର୍ଷ ଜାନୁଆରି ମାସରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ବିଧାନସଭାରେ କଥା ଉଠିଥିଲା। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏହାକୁ ତର୍ଜମା କରାଯାଇ ସ୍ୱତନ୍ତ୍ର ସୁରକ୍ଷା ସ୍କ୍ୱାଡ ଗଠନ ପାଇଁ ପ୍ରସ୍ତାବକୁ ସ୍ଵୀକୃତି ଦିଆଯାଇଛି।

ଦେଶର ରାଷ୍ଟ୍ରପତିଙ୍କ ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସ୍ଵତନ୍ତ୍ର ସୁରକ୍ଷା ବାହିନୀ (ଏସପିଜି) କାର୍ଯ୍ୟ କରୁଛି। ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ମଧ୍ୟ ସେହିଭଳି ସ୍ଵତନ୍ତ୍ର ସୁରକ୍ଷା ବଳ ରହିବ।

Tags: #CMNaveenPatnaik #SpecialSecuritySquad #Security #OdishaPolice

LEAVE A REPLY

Please enter your comment!
Please enter your name here