ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣିଥରେ ଜାତୀୟ ସଂସଦରେ ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ଦାବି ଉଠାଇଛି ବିଜୁ ଜନତା ଦଳ।
ସଂସଦର ସ୍ଵତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପାସ୍ ନେଇ ଦାବି କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ଵତନ୍ତ୍ର ଅଧିବେଶନ ପୁରୁଣା ସଂସଦ ଭବନରେ ବସିଥିବାବେଳେ ଗଣେଶ ପୂଜାରୁ ନବ ନିର୍ମିତ ସଂସଦ ଭବନରେ ବସିବ। ପୁରୁଣା ସଂସଦ ଭବନର ଶେଷ ଦିନରେ ବିଜେଡି ସାଂସଦ ସସ୍ମିତ ପାତ୍ର ନୂଆ ସଂସଦ ଭବନରେ ପ୍ରଥମ ବିଲ୍ ଭାବେ ମହିଳା ସଂରକ୍ଷଣ ବିଲ୍ ପାସ୍ କରାଯାଉ ବୋଲି ଦାବି କରିଛନ୍ତି।
ସଂସଦର ସ୍ଵତନ୍ତ୍ର ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକରେ ବିଜେଡି ସାଂସଦ ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ଦାବି ଉଠାଇଥିଲା। ସର୍ବଦଳୀୟ ବୈଠକରେ ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଓ ଲୋକସଭାରେ ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଯୋଗ ଦେଇଥିଲେ। ଏହି ଅବସରରେ ସେମାନେ ମହିଳା ସଂରକ୍ଷଣ ବିଲ୍ ନେଇ ଦାବି ଉଠାଇଥିଲେ। ସ୍ୱତନ୍ତ୍ର ଅଧିବେଶନକୁ ନେଇ ଦେଶବ୍ୟାପୀ ବେଶ୍ ଚର୍ଚ୍ଚା ହେଉଛି।
କିଛିଦିନ ତଳେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଏକ ପ୍ରତିକ୍ରିୟାକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ଆଗତ କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଆଲୋଚନା ଜୋର୍ ଧରିଥିଲା। ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ସେ ଦିନ ଆଉ ବେଶି ଦୂର ନୁହେଁ ଯେତେବେଳେ ସମ୍ବିଧାନରେ ଆବଶ୍ୟକୀୟ ସଂଶୋଧନ କରାଯାଇ ମହିଳାଙ୍କୁ ଉଚିତ୍ ପ୍ରତିନିଧିତ୍ୱ ମିଳିବ।
ଜାତୀୟସ୍ତରରେ ମହିଳା ସଂରକ୍ଷଣ ବିଲ୍କୁ ପାରିତ କରିବା ପାଇଁ ଦୀର୍ଘବର୍ଷ ଧରି ବିଜୁ ଜନତା ଦଳ ଦେଶରେ ଏକ ପ୍ରକାର ଆନ୍ଦୋଳନ ଚଳାଇ ଆସୁଛି। ସଂସଦର ଉଭୟ ସଦନରୁ ଆରମ୍ଭ କରି ବିଭିନ୍ନ ଫୋରମରେ ଦଳୀୟ ନେତାମାନେ ମହିଳା ସଂରକ୍ଷଣ ବିଧେୟକ ପାରିତ କରାଇବାକୁ ଦାବି କରି ଆସୁଥିଲେ। ଏପରିକି ବିଭିନ୍ନ ଜାତୀୟ ତଥା ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ସହମତି ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିନିଧିମାନଙ୍କୁ ଅତୀତରେ ପଠାଇଛନ୍ତି। ଅତଏବ ଯଦି ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ଆଗତ ହେବା ସହ ପାରିତ ହୁଏ, ତା’ ହେଲେ ଏହା ଓଡ଼ିଶାର ଦୀର୍ଘ ଦିନର ଦାବିକୁ କେନ୍ଦ୍ରର ଏକ ପ୍ରକାର ମୋହର ସଦୃଶ୍ୟ ହେବ କୁହାଯାଉଛି।
Tags: #Women Reservation Bill #Parliament #Politics #IndianPolitic
Centre to pass women reservation bill! odia news odisha news