ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଶ୍ରୀଗଣେଶ ଚତୁର୍ଥୀରେ ସବୁଆଡ଼େ ଭଗବାନ ଗଣେଶଙ୍କ ଧୁମଧାମରେ ପୂଜା କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵରର ବକୁଳ ଫାଉଣ୍ଡେସନ ପକ୍ଷରୁ ନିଆରା ଢଙ୍ଗରେ ଗଣେଶ ପୂଜା କରାଯାଇଛି। ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ଭାରତରେ ବୃକ୍ଷ ପୂଜାର ପ୍ରାଚୀନ ପ୍ରଥାରୁ ପ୍ରେରଣା ନେଇ ଏକ ଗଛକୁ ଶ୍ରୀଗଣେଶଙ୍କ ରୂପରେ ସଜେଇ ପୂଜା କରିଛନ୍ତି।

ଭୁବନେଶ୍ଵରର ବିଜୁ ପଟ୍ଟନାୟକ ପାର୍କ ଭିତରେ ଏକ ଗଛକୁ ବକୁଳ ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ବିଭିନ୍ନ କଳାକୃତି ମାଧ୍ୟମରେ ଶ୍ରୀଗଣେଶଙ୍କ ରୂପରେ ସଜେଇ ଥିଲେ। ଏହାସହ ଏକ ପଇଡ଼କୁ ଗଜାନନଙ୍କ ବାହନ ମୂଷକଙ୍କ ରୂପରେ ସଜେଇ ଥିଲେ। ଉକ୍ତ ଗଛରେ ଦୁଇଟି କୁଲାକୁ ଗଣେଶଙ୍କ କାନ ଭାବେ ବ୍ୟବହାର କରାଯାଇଥିବାବେଳେ ଚିତ୍ର ଦ୍ଵାରା ଶୁଣ୍ଢ ଓ ଆଖି ଅଙ୍କା ଯାଇଥିଲା।

ଏହାପରେ ଫାଉଣ୍ଡେସନର ସବୁ ସ୍ୱେଚ୍ଛାସେବୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ପ୍ରଭୁ ଗଣେଶଙ୍କ ପୂଜା କରାଯାଇଥିଲା। ଏହି ପୂଜା ସବୁ ଦୃଷ୍ଟିରୁ ପରିବେଶ ଅନୁକୂଳ ହୋଇଥିବା ବକୁଳ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି।

“ଗଛ ମଣିଷର ପ୍ରକୃତ ବନ୍ଧୁ। ଏହା ଆମକୁ ବଞ୍ଚିବାକୁ ବହୁତ କିଛି ସାଧନ ଯୋଗାଉଛି। ହେଲେ ମଣିଷର ପ୍ରଗତି ପଥରେ ଗଛକୁ ଅନେକ ସମୟରେ ପ୍ରତିବନ୍ଧକ ଭାବେ ବିବେଚନା କରାଯିବା ବିଡ଼ମ୍ବନାର ବିଷୟ। ତେଣୁ ଗଛକୁ ଭଗବାନ ଗଣେଶଙ୍କ ରୂପରେ ପୂଜା କରି ଆମେ ସେହି ମାନସିକତାକୁ ବଦଳାଇବାକୁ ଚେଷ୍ଟା କରୁଛୁ”, କହିଛନ୍ତି ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି, “ଭାରତରେ ଗଛକୁ ପୂଜା କରିବାର ପରମ୍ପରା ବହୁ ପୁରାତନ କାଳରୁ ରହିଆସିଛି। ହେଲେ ଏବେ ଗଛ ଓ ଜଙ୍ଗଲ ସହ ଆମର ସମ୍ପର୍କ ଧୀରେ ଧୀରେ ନଷ୍ଟ ହୋଇଯାଉଛି। ଏହା ଆମ ସମାଜ ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଛି। ସେଥିପାଇଁ ଆମକୁ ପୁଣି ଥରେ ଗଛକୁ ପୂଜା କରିବାର ଆବଶ୍ୟକତା ରହିଛି।”

ବକୁଳ ଫାଉଣ୍ଡେସନ ପକ୍ଷରୁ ଗତ ୫ ବର୍ଷ ଧରି ଏହି ଭଳି ଗଛକୁ ଭଗବାନ ଗଣେଶଙ୍କ ରୂପରେ ପୂଜା କରାଯାଇ ଆସୁଛି। ଗଛ ସହ ଥିବା ଆମ ସମାଜର ସାଂସ୍କୃତିକ ଭାବନାକୁ ଫାଉଣ୍ଡେସନ ସବୁବେଳେ ପ୍ରୋତ୍ସାହିତ କରି ଆସୁଛି। ଏହାସହ ସହ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।

ମଙ୍ଗଳବାର ବିଜୁ ପଟ୍ଟନାୟକ ପାର୍କରେ ବକୁଳ ଫାଉଣ୍ଡେସନର ଏହି ବୃକ୍ଷ ଗଣେଶ ପୂଜାରେ ବିଡିଏର ଉପାଧ୍ୟକ୍ଷ ବଲୱନ୍ତ ସିଂହ ଏବଂ ବିଡିଏର ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏହାସହ ଫାଉଣ୍ଡେସନ ଅନେକ ସ୍ୱେଚ୍ଛାସେବୀ ଓ ସ୍କୁଲ ପିଲାମାନେ ଏହି ପୂଜାରେ ସାମିଲ ହୋଇଥିଲେ।

Tags: #SriGaneshPuja #BakulaFoundation #TreeWorship #Bhubaneswar

LEAVE A REPLY

Please enter your comment!
Please enter your name here