ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ ଓଡ଼ିଶାର ଜଣାଶୁଣା ଲୋକନୃତ୍ୟ ଡାଲଖାଇ। ବିଶେଷ କରି ନୂଆଁଖାଇରେ ଏହି ଗୀତର ତାଳେ ତାଳେ ଝୁମି ଉଠିଥାନ୍ତି ଲୋକେ।

ବିଶେଷ କରି ଗଣପର୍ବ ନୂଆଁଖାଇରେ ‘ଡାଲଖାଇ’ର ଚାହିଦା ବହୁତ ବଢ଼ିଯାଏ। ଏହି ଗୀତର ତାଳେ ତାଳେ ସମସ୍ତେ ପାଦରେ ପାଦ ମିଶାଇ ନାଚିଥାନ୍ତି। ଏହି ଲୋକନୃତ୍ୟ ଓଡ଼ିଶାର ପଶ୍ଚିମ ଅଞ୍ଚଳର ଜିଲ୍ଲାମାନଙ୍କରେ ବେଶ ପ୍ରସିଦ୍ଧ। ଡାଲଖାଇର ପ୍ରତ୍ୟେକ ପଦର ଆରମ୍ଭ ଓ ଶେଷରେ ଏହି ଶବ୍ଦର ପ୍ରୟୋଗ ହୋଇଥାଏ। ଗୀତରେ ଏହି ଶବ୍ଦକୁ ଜଣେ ବାନ୍ଧବୀଙ୍କ ଉଦ୍ଦେଶ୍ୟରେ ବାରମ୍ବାର କୁହାଯାଇଥାଏ।

ଏହି ଗୀତରେ ମୁଖ୍ୟତଃ ରାଧାକୃଷ୍ଣଙ୍କ ପ୍ରେମ କାହାଣୀ, ରାମାୟଣ ଓ ମହାଭାରତ ଆଦି ବିଷୟକୁ ନେଇ ନୃତ୍ୟ ପରିବେଷଣ ହୋଇଥାଏ।

ଭାଇଜିଉଣ୍ଟିଆ, ଫଗୁନ୍, ନୂଆଁଖାଇ ଆଦି ପର୍ବ ସମୟରେ ଏହି ନୃତ୍ୟ ପରିବେଷଣ କରିଥାନ୍ତି ଲୋକେ। ମୁଖ୍ୟତଃ ବି଼ଞ୍ଝାଲ, କୁଡ଼ା, ମିର୍ଧା, ସାମ ଓ ଆଉ କେତେକ ଜନଜାତିର ମହିଳାମାନେ ଏହି ନୃତ୍ୟ କରିଥାନ୍ତି। ରାଜ୍ୟର ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଆଦି ଜିଲ୍ଲାମାନଙ୍କରେ ଏହି ଲୋକନୃତ୍ୟ ଦେଖିବାକୁ ମିଳିଥାଏ।

ଡାଲଖାଇ ନୃତ୍ୟର ଉତ୍ପତ୍ତି ସମ୍ବଲପୁର ଜିଲ୍ଲାରେ ହୋଇଥିଲା। ଏହି ନୃତ୍ୟଗୀତରେ ପୁରୁଷ ଜଣକ ଗୀତର ପଦ ଆରମ୍ଭ ଓ ଶେଷ ସମୟରେ ‘ଡାଲଖାଇ ବୋ’ ବୋଲି କହିଥାଏ। ଏହି କାରଣରୁ ଏହି ନୃତ୍ୟକୁ ଡାଲଖାଇ ବୋଲି କୁହାଯାଇଥାଏ।

ବର୍ତ୍ତମାନ ସମୟରେ ଏହି ଲୋକନୃତ୍ୟକୁ ଢୋଲ୍, ନିଶାନ୍, ଡ୍ରମ, ତମକୀର ତାଳେ ତାଳେ ଲୋକମାନେ ନୃତ୍ୟ କରିଥାନ୍ତି। ତା’ସହ ଏହି ଲୋକନୃତ୍ୟର ଗୀତରେ ତାସା ଓ ମହୁରୀର ମଧ୍ୟ ବ୍ୟବହାର ହୋଇଥାଏ।

ଏହି ଲୋକନୃତ୍ୟରେ ଯୁବତୀ ଓ ମହିଳାମାନେ ରଙ୍ଗୀନ ସମ୍ବଲପୁରୀ ଶାଢ଼ି ପିନ୍ଧି ଏଥିରେ ନାଚିଥାନ୍ତି। ସମ୍ବଲପୁରୀ ଶାଢ଼ି ସହ ମହିଳାମାନେ ସେମାନଙ୍କର ଦୁଇକାନ୍ଧରେ ଗୋଟିଏ ରଙ୍ଗୀନ କପଡ଼ା ମଧ୍ୟ ବାନ୍ଧିଥାନ୍ତି। ତା’ସହ ମହିଳାମାନେ ବିଭିନ୍ନ ପ୍ରକାର ପାରମ୍ପରିକ ଅଳଙ୍କାର ଶରୀରରେ ଧାରଣ କରିଥାନ୍ତି।

Tags: #Nuakhai #Festival #Culture #Dalkhai #Dance

LEAVE A REPLY

Please enter your comment!
Please enter your name here