ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୨୨ ତାରିଖ, ଶୁକ୍ରବାର ଦିନଠାରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବ ବିଧାନସଭା।

ମୌସୁମୀ ଅଧିବେଶନ ପୂର୍ବରୁ ଗୁରୁବାର ଦିନ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ। ଡିଜିଙ୍କ ସୂଚନା ଅନୁସାରେ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ସୁରକ୍ଷା ଦୃଷ୍ଟିରୁ ୫ଟି କଣ୍ଟ୍ରୋଲ ରୁମ ରହିବ। ଏହା ସହ ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସ୍ପନସ ଟିମ, ସ୍ପେସାଲ ଟେକ୍ନିକାଲ ୟୁନିଟ ରହିବେ।

ପୋଲିସ ଡିଜି ସୁନୀଲ ବଂଶଲ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ଅବସରରେ ପୋଲିସ କମିଶନର, ଆଇନ ଶୃଙ୍ଖଳା ଏଡିଜି, ଗୁଇନ୍ଦା ନିର୍ଦେଶକ, ଗୁଇନ୍ଦା ଡିଆଇଜି, ଭୁବନେଶ୍ୱର ସିପିପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ବିଧାନସଭା ମୌସୁମୀ ଅଧିବେଶନ ଚାଲିବା ପର୍ଯ୍ୟନ୍ତ ଟ୍ରାଫିକ ପରିଚାଳନା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ସମୟରେ ହେବାକୁ ଥିବା ରାଲି ଓ ଧାରଣ ଉପରେ ନଜର ରଖାଯିବା ସହ ଧାରଣାସ୍ଥଳ ସିସିଟିଭି ସର୍ଭିଲାନ୍ସରେ ରହିବ ବୋଲି ଡିଜି ସୂଚନା ଦେଇଛନ୍ତି।

Tags: #Politics #OdishaPolitics #OdishaAssembly #ThreetiersecurityforAssembly #odisha assemblymonsoonsession

Comment