ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ କମ୍ୟୁନିକେସନ୍ ପକ୍ଷରୁ ଆୟୋଜିତ ହୋଇଯାଇଛି ବାର୍ଷିକ ମିଡିଆ କନକ୍ଲେଭ ‘ଜେମ୍ପ୍ଲିଫାଇ ୨୦୨୩’। ‘ନ୍ୟାଭିଗେଟିଂ ନ୍ୟାରେଟିଭସ୍: ଦି ଆର୍ଟ ଅଫ ସ୍କ୍ରିନପ୍ଲେ ରାଇଟିଂ ଆଣ୍ଡ ଡାଇରେକ୍ସନ’ ଥିମ ଉପରେ ଗୁରୁବାର ଏହି ମିଡିଆ କନକ୍ଲେଭର ଆୟୋଜନ କରାଯାଇଥିଲା। ଚଳଚ୍ଚିତ୍ର ନିର୍ମାଣ ଓ ଚିତ୍ରନାଟ୍ୟ ସହ ଜଡ଼ିତ ଅନେକ ବିଶିଷ୍ଟ ବ୍ୟକ୍ତି ଏହି କନକ୍ଲେଭରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ନିର୍ଦେଶନା, କାହାଣୀ ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯାଇଥିଲା। କନକ୍ଲେଭର ୩ଟି ସେସନରେ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିମାନେ ନିଜର ବକ୍ତବ୍ୟ ରଖିଥିଲେ।

ଏହି କନକ୍ଲେଭର ଉଦଘାଟନୀ ଭାଷଣରେ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଫାଦର ଏସ. ଆଣ୍ଟୋନୀ ରାଜ ଚଳଚ୍ଚିତ୍ରର କାହାଣୀ ଉପରେ ଆଲୋକପାତ କରିଥିଲେ। ସେ ଭାରତୀୟ ଚଳଚ୍ଚିତ୍ରରେ ଏବେ ମଧ୍ୟ ଦେଖା ଯାଉଥିବା ପାରମ୍ପରିକ କାହାଣୀ ଉପରେ କହିଥିଲେ।

ସେହିପରି ଚଳଚ୍ଚିତ୍ର ନିର୍ମାତା ତଥା ମୁମ୍ବାଇର ଲିଟିଲ ଲାମ୍ବ ପ୍ରଡକ୍ସନର ପ୍ରତିଷ୍ଠାତା ନିର୍ଦେଶକ ବୁଦ୍ଧାୟନ ମୁଖାର୍ଜୀ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ନିର୍ଦେଶକଙ୍କ ଭୂମିକା ଏବଂ ଦାୟିତ୍ୱ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହାସହ ଏଠାରେ ଫିଲ୍ମ ବଜେଟିଂ ଏବଂ ଫାଇନାନ୍ସିଂ ଉପରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା।

କନକ୍ଲେଭର ଶେଷ ସେସନରେ ଚିତ୍ରନାଟ୍ୟ ଲେଖକ ଏବଂ ନିର୍ଦେଶକ ଦେବାଂଶୁ ସିଂହ ଯୋଗ ଦେଇଥିଲେ। ସେ ଗଳ୍ପ ତଥା ନାଟକ ଲେଖିବା ସମୟରେ ଯେଉଁ ପ୍ରମୁଖ ଉପାଦାନଗୁଡ଼ିକ ଉପରେ ଧ୍ୟାନ ଦେବା ଦରକାର ସେହି ବିଷୟରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ।

ଏହି କାର୍ଯ୍ୟକ୍ରମର ପ୍ରତ୍ୟେକ ସେସନ ପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଠାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତିଥିମାନଙ୍କ ସହ ଚଳଚ୍ଚିତ୍ର ଏବଂ ଚିତ୍ରନାଟ୍ୟର ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। କନକ୍ଲେଭରେ ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକଙ୍କ ସମେତ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

Tags: #XIMUniversity #Xemplify2023 #AnnualMediaConclave #MediaStudies #Bhubaneswar

Comment