ଓଡ଼ିଶାଲାଇଭ୍ ବ୍ୟୁରୋ

ବାରମ୍ବାର ସଚିବଙ୍କ ଗସ୍ତ ଏବଂ ଖର୍ଚ୍ଚକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି ବିରୋଧୀ। ସୋମବାର ଦିନ ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବାବେଳେ ପୁଣି ସମାନ କଥା ଦୋହରାଇ ସରକାରଙ୍କୁ ଘେରିଥିଲେ ବିରୋଧୀ ବିଧାୟକମାନେ। ମନ୍ତ୍ରୀ ବଡ଼ ନା ସଚିବ ବଡ଼? ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପକ୍ଷରୁ ଗୃହରେ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା।

ସୋମବାର ଦିନ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସରକାର ସବୁବେଳେ ଲୋକଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ଵ ଦେଇଆସିଛି। କୋଭିଡ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁବନେଶ୍ଵରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକଙ୍କ ଅଭିଯୋଗ ଶୁଣାଣି କରି ସମାଧାନ କରାଯାଉଥିଲା। କିନ୍ତୁ ପ୍ରାୟ ୨ ବର୍ଷ ହେଲା ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା।

ପରିସ୍ଥିତି ସ୍ଵାଭାବିକ ହେବା ପରେ ପୁଣି କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ହେଉଥିବା ଦେଖିବାକୁ ମିଳିଥିଲା। ତେଣୁ ଲୋକଙ୍କ ପାଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପହଞ୍ଚାଇବାକୁ ଚିନ୍ତା କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟର ସମସ୍ତ ବ୍ଲକ ଏବଂ ସବୁ ସହରାଞ୍ଚଳରେ କମ୍ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିପରି ପହଞ୍ଚି ପାରିବ ସେ ଦିଗରେ ପଦକ୍ଷେପ ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

“ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ଏବଂ ମୋ ନିର୍ଦେଶ କ୍ରମେ ସିଏମଓ ଅଧିକାରୀମାନେ ଜିଲ୍ଲାକୁ ଜିଲ୍ଲା ଗସ୍ତ କରି ଲୋକଙ୍କଠାରୁ ଅଭିଯୋଗ ଆଣୁଛନ୍ତି”, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଗତ ୬ ମାସ ମଧ୍ୟରେ ରାଜ୍ୟର ୧୯୦ରୁ ଅଧିକ ସ୍ଥାନରେ ଅଭିଯୋଗ ଶୁଣାଣି ଆୟୋଜନ କରାଯାଇ ଲୋକଙ୍କଠାରୁ ୫୭,୪୪୨ଟି ଅଭିଯୋଗ ଗ୍ରହଣ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ସ୍ଵଚ୍ଛତାର ସହ ୪୩,୫୩୬ ଅଭିଯୋଗର ସମାଧାନ କରାଯାଇଛି। ଆଗାମୀ ୨ରୁ ୩ ମାସ ମଧ୍ୟରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ସମସ୍ୟାଗୁଡ଼ିକର ସମାଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, “କୋଭିଡ ମହାମାରୀର ପରିଚାଳନା ସମ୍ପର୍କରେ ତଦାରଖ କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟିମ୍‌କୁ ମୁଁ ବିଭିନ୍ନ ସ୍ଥାନକୁ ପଠାଇଥିଲି। ଏହି ଟିମ୍ ବିଭିନ୍ନ ଜିଲ୍ଲାକୁ ଯାଇ କୋଭିଡ ପରିସ୍ଥିତିର ତଦାରଖ କରିବା ସହ ଲୋକଙ୍କ ମତାମତ ନେଇଥିଲେ। ଏହି ବ୍ୟବସ୍ଥା ଆମକୁ ତ୍ଵରିତ ନିଷ୍ପତ୍ତି ନେବାରେ ସହାୟକ ହୋଇଥିଲା। ବର୍ତ୍ତମାନ ଏହି ବ୍ୟବସ୍ଥା ସମ୍ପର୍କରେ ଆପଣମାନଙ୍କର ରାଜନୈତିକ ସମାଲୋଚନା ଉପରେ ମୁଁ କିଛି କହିବାକୁ ଚାହୁଁଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ଵାରା ପରିଚାଳିତ ଏବଂ ଭୁବନେଶ୍ଵରରେ ମନ୍ତ୍ରୀମାନଙ୍କର ଏହି ବ୍ୟବସ୍ଥାରେ ସାମିଲ ହେବାରେ କୌଣସି ଆବଶ୍ୟକତା ପଡ଼ିନାହିଁ। ଗୋଟିଏ ଅଭିଯୋଗ ଦରଖାସ୍ତ ମିଳିବା ପରେ ଏହାକୁ ସମ୍ପୃକ୍ତ ବିଭାଗକୁ ପଠାଯାଇଥାଏ। ତେଣୁ ଏଥିରେ ମନ୍ତ୍ରୀ ବନାମ ଅଫିସର ପ୍ରସଙ୍ଗ ଉଠୁଛି କେଉଁଠି?”

ଅଭିଯୋଗ ଦରଖାସ୍ତର ବିଭାଗସ୍ତରୀୟ ସମାଧାନରେ ବିଭାଗର ମୁଖ୍ୟ ଭାବରେ ମନ୍ତ୍ରୀମାନେ ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। ଏହା ସର୍ବୋଚ୍ଚ ସ୍ତରରେ ଟିମ୍‌ ୱାର୍କ ଏବଂ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବୃତ୍ତିଗତ ଭାବରେ ଏହା କରାଯାଇଥାଏ। ଲୋକଙ୍କ ଅଭିଯୋଗର ଯେଭଳି ଠିକ୍‌ ଭାବରେ ସମାଧାନ ହୋଇ ସେମାନଙ୍କୁ ନ୍ୟାୟ ମିଳିବ ତାହା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ହେଲିକପ୍ଟର ବ୍ୟବହାର ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଯଦି ଆମେ ହେଲିକପ୍ଟର ବ୍ୟବହାର ନକରି ସଡ଼କ ପଥରେ ଯାଇଥାନ୍ତୁ, ତେବେ ଏଥିପାଇଁ ଦେଢ଼ ବର୍ଷ ସମୟ ଲାଗିଥାନ୍ତା। ଗତ ସାଢ଼େ ତିନି ବର୍ଷ ମଧ୍ୟରେ ଆମେ ହେଲିକପ୍ଟର ବ୍ୟବହାରରେ ୪୦ କୋଟି ଟଙ୍କା ଖର୍ଚ୍ଚ କରିଛୁ। ପ୍ରତି ମାସରେ ହେଲିକପ୍ଟର ବ୍ୟବହାର ବାବଦକୁ ପ୍ରାୟ ଏକ କୋଟିରୁ ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ହେଲିକପ୍ଟର ବ୍ୟବହାରରେ ମାତ୍ରାଧିକ ଖର୍ଚ୍ଚ ସଂକ୍ରାନ୍ତୀୟ ଅଭିଯୋଗ ସମ୍ପୂର୍ଣ୍ଣ ମିଛ।”

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅଭିଯୋଗ ଶୁଣାଣି କରିଛି। ଏହି ଶୁଣାଣି ସମୟରେ ଲୋକଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ପାଇଁ ହୋଇଥିବା ଅର୍ଥ ମଞ୍ଜୁରୀ ସମ୍ପର୍କରେ ସୂଚନା ଦିଆଯାଇଛି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଲୋକଙ୍କ ଅଭିଯୋଗର ସମାଧାନ କରିବାକୁ ସ୍ଵତନ୍ତ୍ର ଭାବେ ନିର୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ।

“ନିଜ ଅଞ୍ଚଳର ଅନେକ ଅଭିଯୋଗର ସମାଧାନ ହୋଇଥିବାକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ଖୁସି ହେବା କଥା। ମୁଁ ବୁଝିପାରୁନି, ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପକୁ କିଏ କିପରି ବିରୋଧ କରିପାରିବ? ଏହା ସମ୍ପୂର୍ଣ୍ଣ ଜନବିରୋଧୀ। ଜନସାଧାରଣ ଏହାର ଉଚିତ ଜବାବ ଦେବେ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିରୋଧୀ ଦଳର ସଦସ୍ୟମାନେ କେବଳ ରାଜନୈତିକ କାରଣ ଦୃଷ୍ଟିରୁ ଅସନ୍ତୁଷ୍ଟ ହେବା ଉଚିତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Tags: #Politics #OdishaPolitics #CMOdisha #NaveenPatnaik

Comment