ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବେ ପରିବାର ଲୋକେ। ଏହି ଘଟଣାର ତଦନ୍ତ ପାଇଁ ଗୁରୁବାର ଦିନ ରାଉରକେଲ ଏସପି ମିତ୍ରଭାନୁ ମହାପାତ୍ର ନିର୍ଦେଶ ଦେଇଥିଲେ ମଧ୍ୟ ପୋଲିସ ତଦନ୍ତ ଉପରେ ଭରସା ନଥିବା କହିଛନ୍ତି ମୃତ ସୁସ୍ମିତାଙ୍କ ଭାଇ।

ଏପଟେ ଆସନ୍ତା ଅକ୍ଟୋବର ମାସ ୬ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ ନେତାର ଆଲବର୍ଟ କିଣ୍ଡୋ।

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଘନେଇବାରେ ଲାଗିଛି। ବରିଷ୍ଠ ଆଦିବାସୀ ନେତା ଜର୍ଜ ତୀର୍କୀ ସାମ୍ବାଦିକ ସମ୍ମିଳନୀ କରି ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ଆସନ୍ତା ଅକ୍ଟୋବର ୩ ତାରିଖରେ ମୃତ ସୁସ୍ମିତାଙ୍କ ପରିବାର ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଗତ ସେପ୍ଟେମ୍ବର ୧୯ ତାରିଖରେ ରାଉରକେଲାର ଏକ ପାର୍କରେ ଥିବା ପୋଖରୀରୁ ସୁସ୍ମିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହା ପରେ ମୃତକଙ୍କ ପରିବାର ଲୋକ ଆଣିଥିଲେ ହତ୍ୟା ଅଭିଯୋଗ। ଏହି ଘଟଣାରେ ସୁନ୍ଦରଗଡ଼ ଜିଲ୍ଲାପାଳ ଏବଂ ରାଉରକେଲା ଏଡିଏମଙ୍କୁ ତଦନ୍ତ ପରିସରଭୂକ୍ତ କରିବାକୁ ପରିବାର ଲୋକେ ଦାବି କରି ଥାନାରେ ଏତଲା ଦେଇଥିଲେ, କିନ୍ତୁ ଏତଲା ଗ୍ରହଣ କରିନଥିଲା ପୋଲିସ।

ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ମଙ୍ଗଳବାର ଦିନ ଏଡିଏମଙ୍କ ଅଫିସ ଘେରାଉ କରିଥିଲେ ଶତାଧିକ ଆଦିବାସୀ ମହିଳା।

ଏହି ଘଟଣାକୁ ଏକ ସପ୍ତାହ ଟପିଥିଲେ ମଧ୍ୟ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରୁ ନାହିଁ। ମଙ୍ଗଳବାର ଦିନ ପୋଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠାଇ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଜିଲ୍ଲା ଆଦିବାସୀ ମଞ୍ଚ। କଂଗ୍ରେସ ଏବଂ ଆଦିବାସୀ ମଞ୍ଚ ପକ୍ଷରୁ ମଧ୍ୟ ଏଡିଏମଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲି। ଏହା ପୂର୍ବରୁ ସୋମବାର ଦିନ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଇଜି ଅଫିସ ଘେରାଉ କରାଯାଇଥିଲା।

Tags: #Rourkela #AssistantCollectorSusmitaMinz #MurderCase #CBIInvestigation

Comment