ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୨ ତାରିଖ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହୋଇଛି ବିଜୁ ଜନତା ଦଳ (ବିଜେଡି)ର ଜନସମ୍ପର୍କ ପଦଯାତ୍ରା। ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ଭୁବନେଶ୍ଵର ଏକାମ୍ର ନିର୍ବାଚନ ମଣ୍ଡଳିରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଥିଲେ, “ଗାନ୍ଧୀଜୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇରହିଛନ୍ତି। ତାଙ୍କ ଆଦର୍ଶ ଆମକୁ ଆଗକୁ ବଢ଼ିବାକୁ ବାଟ ଦେଖାଇଆସୁଛି। ସାଧାରଣ ଲୋକଙ୍କ ଖୁସି ଆମର ସବୁଠାରୁ ବଡ଼ ଖୁସି। ସେଥିପାଇଁ ବିଜେଡି ଗରିବ, ମହିଳା, ଯୁବବର୍ଗ, ସନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପାଇଁ କାମ କରିଆସୁଛି। ସେମାନଙ୍କୁ ସଶକ୍ତ ଓ ସ୍ଵାବଲମ୍ବୀ କରିବାକୁ କାମ କରୁଛି।”

ମହିଳା ସଂରକ୍ଷଣ ବିଲ ଆଇନରେ ପରିଣତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଓଡ଼ିଶା ଏବେ ରୂପାନ୍ତରଣ କେନ୍ଦ୍ରରେ ଆଗେଇ ଚାଲିଥିବା କହିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ବିଏସକେଓ୍ଵାଇ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିଛି। ସ୍କୁଲ ରୂପାନ୍ତରଣ, ଖାଦ୍ୟ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ଏବଂ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ରୋଲ ମଡେଲ ପାଲଟିଛି। ନିବେଶ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଦେଶରେ ଦ୍ଵିତୀୟରେ ରହିଛି।”

ନିର୍ବାଚନ ସମୟ ଆସିଲେ ବିରୋଧୀ ଜନସାଧାରଣଙ୍କୁ ଭୁଲ ଖବର ଦେଇ ଭ୍ରାନ୍ତିରେ ପକାଇବାକୁ ଚେଷ୍ଟା କରିଥାନ୍ତି। ଜନତା ସବୁ ଜଣନ୍ତି, ବିରୋଧୀଙ୍କୁ ସେମାନେ ଠିକ୍ ଜବାବ ଦେବେ। ଶ୍ରୀମନ୍ଦିର ଏବଂ ଲିଙ୍ଗରାଜଙ୍କ ମନ୍ଦିରର ବିକାଶକୁ ବନ୍ଦ କରିବାକୁ ଚକ୍ରାନ୍ତ ଚଳାଇଥିବା ଦଳଙ୍କୁ ରାଜ୍ୟବାସୀ କେବେ କ୍ଷମା ଦେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଜେଡିର ଏହି ଜନସମ୍ପର୍କ ପଦଯାତ୍ରା ଓଡ଼ିଶାର ବିକାଶର ବାର୍ତ୍ତା ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚାଇବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ସୋମବାରଠାରୁ ଆରମ୍ଭ ହୋଇଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ଆସନ୍ତା ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଲୋକଙ୍କର ନିକଟତର ହେବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comment