ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର ହାଇଦ୍ରାବାଦ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ନେଦରଲାଣ୍ଡସକୁ ଭେଟିବ ପାକିସ୍ତାନ

ଆଇସିସି କ୍ରିକେଟ ବିଶ୍ୱକପରେ ଶୁକ୍ରବାର ନେଦରଲାଣ୍ଡସକୁ ଭେଟିବ ପାକିସ୍ତାନ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। ଉଭୟ ଦଳଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ୬ଟି ମ୍ୟାଚରୁ ପାକିସ୍ତାନ ସବୁଥିରେ ବିଜୟୀ ହୋଇଥିଲା।

ଅଭ୍ୟାସ ମ୍ୟାଚ ବେଳେ ପାକିସ୍ତାନ ଏକାଧିକ ପରୀକ୍ଷା ନିରୀକ୍ଷା କରିଥିଲା। କିନ୍ତୁ ବିଶ୍ୱକପର ପ୍ରଥମ ମ୍ୟାଚରେ ଦଳ ତାହାର ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। କାରଣ ପ୍ରାୟ ୭ବର୍ଷ ପରେ ଭାରତରେ ଖେଳିବାକୁ ଆସିଥିବାରୁ ପାକିସ୍ତାନ ଏକ ବଡ଼ ଧରଣର ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି।  

ହାଇଦ୍ରାବାଦ ପିଚ ସବୁବେଳେ ହାଇସ୍କୋରିଂ ମ୍ୟାଚ ପାଇଁ ଜଣାଶୁଣା। ପାକିସ୍ତାନ ମଧ୍ୟ ଅଭ୍ୟାସ ମ୍ୟାଚ ବେଳେ ପିଚକୁ ଭଲଭାବେ ପରଖି ସାରିଛି। ଅଧିନାୟକ ବାବର ଆଜମ ଏବେ ଭଲ ଫର୍ମରେ ଅଛନ୍ତି। ଅଭ୍ୟାସ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଦୁଇଟି ଅର୍ଦ୍ଧଶତକ କରିଥିଲେ। ତେଣୁ ଏହି ଫର୍ମକୁ ପ୍ରଥମ ମ୍ୟାଚରେ ବଜାୟ ରଖିବାକୁ ଚାହିଁବେ। ଏଥିସହ ଫକର ଜମାନ, ଇଫତିକାର ଅହମଦ ଓ ସଦାବ ଖାନଙ୍କ ବ୍ୟାଟରୁ ବଡ଼ ରନ ଆଶା କରାଯାଇପାରେ।

ନେଦରଲାଣ୍ଡସ ଯଦିଓ ଯୋଗ୍ୟତା ପର୍ଯ୍ୟାୟରୁ ସିଧାସଳଖ ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛି, ତଥାପି ପାକିସ୍ତାନ ଭଳି ବଡ଼ ଦଳକୁ ସାମ୍ନା କରିବାକୁ ହେଲେ ଏହାର ବରିଷ୍ଠ ଖେଳାଳିମାନଙ୍କ ଉପରେ ଦଳ ନିର୍ଭର କରିବ। ଅଧିନାୟକ ସ୍କଟ ଏଡୱାର୍ଡସଙ୍କ ସହ ଲୋଗାନ ଭାନ ବିକ, ରୋଇଲଫ ଭାନ ଦର ମରୱି ଓ ୱେସଲି ବାରେସିଙ୍କଠୁ ଦଳ ଭଲ ପ୍ରଦର୍ଶନ ଆଶା କରିବ।

ଅନ୍ୟତମ ଅଲରାଉଣ୍ଡର ବାସ ଡି ଲିଡେ ଦଳର ବଡ଼ ଅସ୍ତ୍ର। ଜିମ୍ବାୱେରେ ହୋଇଥିବା ଯୋଗ୍ୟତା ପର୍ଯ୍ୟାୟରେ ସେ ୨୮୫ ରନ ସଂଗ୍ରହ କରିବା ସହ ୧୫ ୱିକେଟ ଅକ୍ତିଆର କରିଥିଲେ। ସ୍କଟଲାଣ୍ଡ ବିପକ୍ଷରେ ଶତକ ସହ ୫ ୱିକେଟ ସଫଳତା ଯୋଗୁଁ ନେଦରଲାଣ୍ଡସ ବିଶ୍ୱକପ ଟିକେଟ ପାଇଥି‌ଲା।

Tags: #ICC #CWC2023 #BCCI #PCB #PAKvsNED #WorldCup

LEAVE A REPLY

Please enter your comment!
Please enter your name here