ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାର ଦୁଇ ମହିଳା ଅଧିକାରୀଙ୍କ ମୃତ୍ୟୁକୁ ନେଇ ତେଜୁଛି ଆନ୍ଦୋଳନ। ଗୁରୁବାର ଦିନ ବିଜେପି ପକ୍ଷରୁ ସୁନ୍ଦରଗଡ଼ ବନ୍ଦ କରାଯାଇଥିବାବେଳେ ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶତାଧିକ ଆଦିବାସୀ।
ଶୁକ୍ରବାର ଦିନ ଆଦିବାସୀ ସଂଗଠନ ପକ୍ଷରୁ ହଜାରରୁ ଅଧିକ ମହିଳା ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉପରକୁ ବୋତଲ ଫିଙ୍ଗିବା ସହ ଗେଟକୁ ଠେଲି କାର୍ଯ୍ୟାଳୟ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ସେମାନଙ୍କୁ ଅଟକାଇଥିଲା।
ବାରମ୍ବାର ଦାବି କରିଥିଲେ ମଧ୍ୟ ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରିନଥିଲେ। ଏହା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଦାବିପତ୍ର ଫିଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଆନ୍ଦୋଳନକାରୀ।
ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଏବଂ ଉଦିତନଗର ଥାନା ଏଏସଆଇ ଆଲିସା ଲୁଗୁନ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ସହ ଦୋଷୀ ବରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ବିଜେପି, କଂଗ୍ରେସ ଏବଂ ଆଦିବାସୀ ସଂଗଠନ।
ଅନ୍ୟ ପକ୍ଷରେ ସହକାରୀ ଜିଲ୍ଲାପାଳ ସୁସ୍ମିତାଙ୍କ ସ୍ୱାମୀଙ୍କୁ ଶୁକ୍ରବାର ଦିନ ଦୀର୍ଘ ସମୟ ଧରି ପଚରା ଉଚରା କରିଛନ୍ତି ମାମଲାର ତଦନ୍ତ କରୁଥିବା ଅଧିକାରୀ।