ଓଡ଼ିଶାଲାଇଭ୍ ବ୍ୟୁରୋ

ଆଫଗାନିସ୍ତାନକୁ ୬ ୱିକେଟରେ ପରାସ୍ତ କରି ଏକତରଫା ବିଜୟ ହାସଲ କରିଛି ବାଂଲାଦେଶ।

ବଡ଼ ବିଜୟରୁ ଦିନିକିଆ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ବାଂଲାଦେଶ। ଶନିବାର ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚରେ ବାଂଲାଦେଶ ଏକତରଫା ଭାବେ ଆଫଗାନିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ସମସ୍ତ ୱିକେଟ ହରାଇ କେବଳ ୧୫୬ ରନ କରିବାକୁ ସକ୍ଷମ ହୋଇଥିଲା।

୧୫୭ ରନର ଟାର୍ଗେଟକୁ ବାଂଲାଦେଶ, ମିରାଜଙ୍କ ୫୭ ରନ ବଳରେ ୯୨ ବଲ ପୂର୍ବରୁ ୪ ୱିକେଟ ହରାଇ ହାସଲ କରିନେଇଛି। ବ୍ୟାଟିଂରେ ୫୭ ରନ ଓ ବୋଲିଂରେ ୩ ୱିକେଟ ନେଇଥିବା ମେହିଦ ହାସନ ମିରାଜଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି।

ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଆଫଗାନିସ୍ତାନ ପାଇଁ ଦୁଇ ଓପନର ରମନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜର୍ଦାନ ଭଲ ଆରମ୍ଭ କରିଥିଲେ। ତେବେ ଜର୍ଦାନ ୨୨ ଓ ଗୁରବାଜ ୪୭ ରନ କରି ଆଉଟ ହେବା ପରେ ଆଫଗାନିସ୍ତାନର ଅନ୍ୟ କୌଣସି ବ୍ୟାଟର ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ।

ରହମତ ଶାହ ୧୮, ଅଧିନାୟକ ହଶମତୁଲ୍ଲା ଶାହିଦି ୧୮ ରନ ଓ ଶେଷ ଭାଗରେ ଅଜମତୁଲ୍ଲା ଓମାରଜାଇ ୨୨ ରନ କରିଥିଲେ। ଆଫଗାନିସ୍ତାନ ୩୭.୨ ଓଭରରେ ସମସ୍ତ ୱିକେଟ ହରାଇ ୧୫୬ ରନ କରିବାକୁ ସକ୍ଷମ ହୋଇଥିଲା।

ବାଂଲାଦେଶ ପକ୍ଷରୁ ମିରାଜଙ୍କ ସହ ଅଧିନାୟକ ସାକିବ ଅଲ ହାସନ ମଧ୍ୟ ୩ଟି ୱିକେଟ ନେଇଛନ୍ତି। ଏମାନଙ୍କ ବ୍ୟତୀତ ଶୋରିଫୁଲ ଇସଲାମ ୨ଟି, ତସ୍କିନ ଅହମଦ ଓ ମୁସ୍ତାପିଜୁର ରହମାନ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।  

୧୫୭ ରନର ଟାର୍ଗେଟ ପାଇଥିବା ବାଂଲାଦେଶ ଆରମ୍ଭରୁ ରନଆଉଟ ରୂପେ ତାନଜି ହାସନ(୫)ଙ୍କୁ ହରାଇଥିଲା। ଏହାପରେ ଅନ୍ୟତମ ଓପନର ଲିଟନ ଦାସ ୧୩ ରନ କରି ପାଭିଲିୟନ ଫେରିଥିଲେ। ୨୭ ରନରେ ଦୁଇ ୱିକେଟ ହରାଇ ଦଳ ସଙ୍କଟରେ ପଡ଼ିଥିଲା।

ତେବେ ମିରାଜ ଓ ନଜମୁଲ ହୁସେନ ସାଣ୍ଟୋ ସ୍ଥିତିକୁ ସମ୍ଭାଳିଥିଲେ। ଦଳୀୟ ସ୍କୋର ୧୨୪ ଥିବାବେଳେ ମିରାଜ ବ୍ୟକ୍ତିଗତ ଭାବେ ୫୭ ରନ କରି ନବୀନ ଉଲ ହକଙ୍କ ବଲରେ ଆଉଟ ହୋଇଥିଲା।

ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ ବାଂଲାଦେଶର ଅଧିନାୟକ ସାକିବ ଅଲ ହାସନ। ସେ ସାଣ୍ଟୋଙ୍କ ସହ ମିଶି ଦଳୀୟ ସ୍କୋର ଆଗକୁ ନେଇଥିଲେ। ତେବେ ଦଳକୁ ଜିତିବା ପାଇଁ ୧୧ ରନ ଦରକାର ଥିବାବେଳେ ସାକିବ ୧୪ ରନ କରି ଅଜମତୁଲ୍ଲାଙ୍କ ବଲରେ ଆଉଟ ହୋଇଯାଇଥିଲେ। ତେବେ ସେହି ଓଭରର ଶେଷ ବଲରେ ସାଣ୍ଟୋ ୧ ରନ ନେଇ ୮୦ ବଲରେ ନିଜର ଅର୍ଦ୍ଧଶତକ ହାସଲକରିଥିଲେ। 

Tags: #ICC #CWC2023 #BCCI #BANvsAFG #WorldCup

Comment