ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ, ଚେନ୍ନାଇରେ ଖେଳାଯିବ ମ୍ୟାଚ।

ରବିବାରଠାରୁ ଚଳିତ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଆୟୋଜକ ଭାରତ। ଅଷ୍ଟ୍ରେଲିଆ ବିପକ୍ଷରେ ଚେନ୍ନାଇର ଏମଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଭାରତ ଏହି ମ୍ୟାଚ ଖେଳିବ। ଉଭୟ ଦଳଙ୍କ ମଧ୍ୟରେ ୧୧ ଦିନ ପୂର୍ବରୁ ଏହି ଷ୍ଟାଡିୟମରେ ଖେଳାଯାଇଥିଲା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା। ଏବେ ସେହିଠାରୁ ପୁଣି ଥରେ ଦୁଇ ଦଳ ବିଶ୍ୱକପ ଯାତ୍ରା ଆରମ୍ଭ କରିବେ।

ଭାରତର ପ୍ରାରମ୍ଭିକ ବ୍ୟାଟର ଶୁବମନ ଗିଲଙ୍କ ଡେଙ୍ଗୁ ଜ୍ୱର ଘରୋଇ ଦଳକୁ ଚିନ୍ତାରେ ପକାଇଛି। ଯଦିଓ ବୈଷୟିକ ଦୃଷ୍ଟିରୁ ଗିଲ ଏପର୍ଯ୍ୟନ୍ତ ପ୍ରଥମ ମ୍ୟାଚରୁ ବାଦ ପଡ଼ିନଥିବା ପ୍ରଶିକ୍ଷକ ରାହୁଲ ଦ୍ରାବିଡ କହିଛନ୍ତି, କିନ୍ତୁ ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ଖେଳାଇବା ପାଇଁ ଦଳ ଯୋଜନା ରଖିଛି।

ଅନ୍ୟପଟେ ଏହି ବିଶ୍ୱକପ ବ୍ୟାଟର ବିରାଟ କୋହଲିଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କୋହଲିଙ୍କ ସହିତ ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ ସମ୍ଭବତଃ ସେମାନଙ୍କ ଶେଷ ବିଶ୍ୱକପ ଖେଳିବାକୁ ଯାଉଥିବାରୁ ଟ୍ରଫି ଜିତିବା ସବୁଠୁ ବଡ଼ ଲକ୍ଷ୍ୟ ରହିବ। ଭାରତୀୟ ପିଚ ସ୍ପିନରଙ୍କୁ ସୁହାଉଥିବା କୁହାଯାଉଛି। ତାହାର ବଡ଼ ଉଦାହରଣ ଚେନ୍ନାଇରେ ଦେଖିବାକୁ ମିଳିବ।

ଭାରତ ତିନି ଜଣ ସ୍ପିନରଙ୍କୁ ନେଇ ଖେଳିବାକୁ ଯାଉଥିବା ଅଧିନାୟକ ରୋହିତ ଶର୍ମା କହିଛନ୍ତି। ତେଣୁ ସ୍ଥାନୀୟ ଖେଳାଳି ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଇଁ ଦିନିକିଆ କ୍ରିକେଟରେ ନୂଆ ଦିଗ ପାଇବା ପାଇଁ ଭଲ ସୁଯୋଗ ରହିବ। କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଅନ୍ୟତମ ସ୍ପିନର ଭାବେ ଦଳରେ ରହିପାରନ୍ତି। ତେଣୁ ଭାରତ ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କୁ ନେଇ ଖେଳିପାରେ। ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ଦ୍ରୁତ ବୋଲର ଭାବେ ସହାୟତା ଦେବେ।

ସେହିପରି ଗ୍ଲେନ ମ୍ୟାକ୍ସୱେଲଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଅଷ୍ଟ୍ରେଲିଆ ଟିମ। ଅଷ୍ଟ୍ରେଲିଆ ଅପେକ୍ଷା ଭାରତରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଅଭିଜ୍ଞତା ଅଧିକ ରହିଛି। ତେଣୁ ଭାରତୀୟ ସ୍ପିନ ଆକ୍ରମଣକୁ ପ୍ରତିହତ କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ କହିଛନ୍ତି।

ବର୍ତ୍ତମାନ ପରିସ୍ଥିତିରେ ଭାରତର ମଜବୁତ ବ୍ୟାଟିଂକ୍ରମ ବିଶ୍ୱରେ ସର୍ବଶ୍ରେଷ୍ଠ ମାନ୍ୟତା ରଖୁଥିଲା ବେଳେ ଅଷ୍ଟ୍ରେଲିଆ ତାହାର ଦ୍ରୁତ ବୋଲିଂବାହିନୀ ପାଇଁ ପରିଚିତ। ତେଣୁ ବ୍ୟାଟ ବଲର ଲଢ଼େଇବେଳେ କିଏ ଜିତିବ ତାହା ଖେଳାଳିଙ୍କର ଦକ୍ଷତା ଓ ସହନଶୀଳତା ଉପରେ ନିର୍ଭର କରିବ।

ଚେନ୍ନାଇରେ ଭାରତ ୧୪ଟି ଦିନିକିଆ ଖେଳିଥିଲା ବେଳେ ୭ଟି ମ୍ୟାଚରେ ବିଜୟୀ ଓ ୬ଟି ମ୍ୟାଚରେ ପରାଜିତ ହୋଇଛି। ଗୋଟିଏ ମ୍ୟାଚ ବାତିଲ ହୋଇଥିଲା। କିନ୍ତୁ ଅଷ୍ଟ୍ରେଲିଆ ଏଠାରେ ୬ଟି ମ୍ୟାଚ ଖେଳିଥିଲା ବେଳେ ୫ଟି ମ୍ୟାଚରେ ବିଜୟୀ ହୋଇ ଭାରତ ଅପେକ୍ଷା ଭଲ ପ୍ରଦର୍ଶନ ଦେଇଛି। ମୋଟାମୋଟି ଉପରେ ଦିନିକିଆରେ ଦୁଇ ଦଳ ୧୪୯ଟି ମ୍ୟାଚରେ ସାମ୍ନାସାମ୍ନି ହୋଇଛନ୍ତି। ସେଥିରୁ ଭାରତ ୫୬ଟି ମ୍ୟାଚରେ ବିଜୟୀ ହୋଇଥିଲାବେଳେ ୧୦ଟି ମ୍ୟାଚର ଫଳାଫଳ ବାହାରିପାରିନଥିଲା।

Tags: #ICC #CWC2023 #BCCI #INDvsAUS #WorldCup #TeamIndia

LEAVE A REPLY

Please enter your comment!
Please enter your name here