ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଏଟିଏମରୁ ଟଙ୍କା ପାଇ ଫେରାଇଥିବା ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ମହିଳା ହୋମଗାର୍ଡ ସଙ୍ଗୀତା ମାର୍ଣ୍ଡିଙ୍କୁ ପୁରସ୍କୃତ କରାଯାଇଛି। ଜିଲ୍ଲା ପୋଲିସ ଏବଂ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ତାଙ୍କୁ ପୁରସ୍କୃତ କରାଯାଇଛି।
ବାରିପଦା ମ୍ୟୁନିସିପାଲଟି ନିକଟରେ ଥିବା ଏସବିଆଇ ଏଟିଏମକୁ ଶୁକ୍ରବାର ଦିନ ସଙ୍ଗୀତା ମାର୍ଣ୍ଡି ଟଙ୍କା ଉଠାଇବାକୁ ଆସିଥିଲେ। କୌଣସି ବ୍ୟକ୍ତି ଏଟିଏମ ପାଖରେ ନଥିବାବେଳେ ଏଟିଏମରୁ ୧୦ ହଜାର ଟଙ୍କା ବାହାରିଥିବା ସଙ୍ଗୀତା ଦେଖିବାକୁ ପାଇଥିଲେ। ପରେ ସେ ଏ ସମ୍ପର୍କରେ ମୟୂରଭଞ୍ଜ ଏସପିଙ୍କୁ ଜଣାଇଥିଲେ।
ତଦନ୍ତ କରିବା ପରେ ଏହି ୧୦ ହଜାର ଟଙ୍କା କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ନିମାଇଁ ଚରଣ ହାଁସଦାଙ୍କର ବୋଲି ଜଣାପଡ଼ିଥିଲା। ଡାକ୍ତର ହାଁସଦା ପ୍ରଥମେ ୧୦ ହଜାର ଟଙ୍କା କାଢ଼ିଥିଲେ, ପୁନର୍ବାର ୧୦ ହଜାର ଟଙ୍କା କାଢ଼ିବାକୁ ଚେଷ୍ଟା କରିବା ସମୟରେ ଏଟିଏମ ମେସିନ ଅଚଳ ହୋଇଯାଇଥିଲା। ଟଙ୍କା ନବାହାରିବାରୁ ଡାକ୍ତର ବାବୁ ସେଠାରୁ ଚାଲିଯାଇଥିଲେ। ପରେ ସଙ୍ଗୀତା ମାର୍ଣ୍ଡି ସମ୍ପୃକ୍ତ ଏଟିଏମକୁ ଯିବା ସମୟରେ ଟଙ୍କା ପାଇଥିଲେ।
ବାରିପଦା ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ହୋମଗାର୍ଡ ସଙ୍ଗୀତା ମର୍ଣ୍ଡିଙ୍କୁ ପୁଷ୍ପଗୁଚ୍ଛଦ ଦେଇ ଏସପି ବି ଗଙ୍ଗାଧର ସମ୍ବର୍ଦ୍ଧିତ କରିବା ସହ ତାଙ୍କୁ ୨ ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହିତ ବ୍ୟାଙ୍କ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲେ। ସଙ୍ଗୀତା ମାର୍ଣ୍ଡିଙ୍କ ଏହି ଉଦାରତା ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
Tags: #Baripada #HomeguardsangeetaMarndi #mayurbhanj #award #sbi