ଓଡ଼ିଶାଲାଇଭ୍ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ।

ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ୬ ୱିକେଟରେ ଏକ ଲଢ଼ୁଆ ବିଜୟ ସହ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଭାରତ। ମାତ୍ର ୨ ରନରେ ୩ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତ ପାଇଁ ପୁଣି ଥରେ ସଙ୍କଟମୋଚକ ସାଜିଥିଲେ ବିରାଟ କୋହଲି।

ବିଜୟ ପାଇଁ ଭାରତ ଆଗରେ ୨୦୦ ରନର ଲକ୍ଷ୍ୟ ରଖିଥିଲା ଅଷ୍ଟ୍ରେଲିଆ, କିନ୍ତୁ ଆରମ୍ଭରୁ ଅଷ୍ଟ୍ରେଲିଆ ବୋଲରମାନେ ଭାରତକୁ ଏକ ବଡ଼ ଝଟକା ଦେଇଥିଲେ। ଦଳର ୩ ଜଣ ଆଗଧାଡ଼ିର ବ୍ୟାଟ୍ସମ୍ୟାନ- ରୋହିତ ଶର୍ମା, ଇଶାନ କିଷନ ଓ ଶ୍ରେୟସ ଆୟର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ମାତ୍ର ୨ ରନରେ ୩ଟି ୱିକେଟ ହରାଇ ସଂକଟରେ ପଡ଼ିଥିଲା ଭାରତ, ଆଉ ସ୍ଥିତି ସମ୍ଭାଳିଥିଲେ ବିରାଟ କୋହଲି।

ଅଷ୍ଟ୍ରେଲିଆର ଶକ୍ତିଶାଳୀ ବୋଲିଂ ଆକ୍ରମଣ ବିରୋଧରେ ବିରାଟ ଓ କେଏଲ ରାହୁଲ ଲଢ଼ୁଆ ବ୍ୟାଟିଂ କରି ଦଳ ପାଇଁ ଏକ ସ୍ମରଣୀୟ ବିଜୟ ଆଣିଦେଇଥିଲେ। ବିରାଟ ୮୫ ଓ ରାହୁଲ ଅପରାଜିତ ୯୭ ରନ କରିଥିଲେ। କେଏଲ ରାହୁଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ କୌଣସି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ। ଏପରିକି କୌଣସି ବ୍ୟାଟ୍ସମ୍ୟାନ ୫୦ ରନ ଛୁଇଁପାରିନଥିଲେ। କେବଳ ଷ୍ଟିଭେନ ସ୍ମିଥ ସର୍ବାଧିକ ୪୬ ରନ ଓ ଡେଭିଡ୍ ୱାର୍ନର ୪୧ରନ କରିଥିଲେ। ମିଚେଲ ଷ୍ଟାର୍କ ୨୮ରନ କରିଥିବାବେଳେ ଗ୍ଲେନ ମାକ୍ସୱେଲ ଓ ପାଟ୍ କମିନ୍ସ ୧୫ ରନ ଲେଖାଏଁ କରିଥିଲେ।

ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ୩ଟି ୱିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ।  ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Tags: #ICC #BCCI #CWC23 #INDvsAUS #TeamIndia #ViratKohli

Comment