ଓଡ଼ିଶାଲାଇଭ୍ ବ୍ୟୁରୋ

  • ଚିରା, ଫଟା ଜିନ୍ସ ପିନ୍ଧି ଯାଇହେବନି ଶ୍ରୀମନ୍ଦିର
  • ଶ୍ରୀମନ୍ଦିର ପ୍ରବେଶ ବେଳେ ହାତକଟା ଡ୍ରେସ ମନା
  • ଆସନ୍ତା ବର୍ଷ ଜାନୁଆରି ପହିଲାରୁ କଡ଼ା ହେବ ନିୟମ
  • ଯାଞ୍ଚ କରିବେ ଜେଟିପି ଓ ପ୍ରତିହାରୀ ସେବକ

ଏଣିକି ଯାହା ତାହା ପିନ୍ଧି ଯାଇହେବନି ପୁରୀ ଶ୍ରୀମନ୍ଦିର। ଅଶାଳୀନ ପୋଷାକ ପିନ୍ଧିଲେ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ।

ଶ୍ରୀମନ୍ଦିରକୁ ଯିବାକୁ ହେଲେ ଭକ୍ତଙ୍କୁ ଶାଳୀନତା ରକ୍ଷା କରିବାକୁ ପଡ଼ିବ। ଏହା ସହ ପୋଷାକ ଉପରେ ଖାସ ଧ୍ୟାନ ଦେବାକୁ ପଡ଼ିବ ବୋଲି ଭକ୍ତମାନଙ୍କୁ କୁହାଯାଇଛି। ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମଙ୍ଗଳବାରଠାରୁ ଏ ସମ୍ପର୍କରେ ଭକ୍ତମାନଙ୍କୁ ସଚେତନ କରାଯାଉଛି। ଆସନ୍ତା ବର୍ଷ ଜାନୁଆରି ପହିଲାରୁ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ଶ୍ରୀମନ୍ଦିର ଭିତରକୁ ଆସୁଥିବା ଭକ୍ତ ଚିରାଫଟା ଜିନ୍ସ କିମ୍ବା ହାଫ ପ୍ୟାଣ୍ଟ ପିନ୍ଧିପାରିବେ ନାହିଁ। ଏହା ସହ ହାତକଟା ଡ୍ରେସ ଉପରେ କଟକଣା ଲାଗୁ ହୋଇଛି। କେବଳ ୧୨ ବର୍ଷରୁ କମ ବୟସର ପିଲା ହିଁ ହାଫ୍ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଯାଇପାରିବେ।

ସିଂହଦ୍ଵାର ଏବଂ ଅନ୍ୟ ଦ୍ଵାରରେ ଜେଟିପି ଓ ପ୍ରତିହାରୀ ସେବକ ଯାଞ୍ଚ ଦାୟିତ୍ଵରେ ରହିବେ। ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଉଛି।

Tags:  #Puri #srimandir #SriJagannath #Dresscode #decentdress #devotees

Comment