ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରର ବକ୍ସର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ଷ୍ଟେସନ ନିକଟରେ ବଡ଼ଧରଣର ଟ୍ରେନ ଦୁର୍ଘଟଣା ହୋଇଛି। ମଙ୍ଗଳବାର ରାତିରେ ଉକ୍ତ ଷ୍ଟେସନ ନିକଟରେ ‘ନର୍ଥ ଇଷ୍ଟ୍‌ ଏକ୍ସପ୍ରେସ’ର ୨୧ଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି।

ମଙ୍ଗଳବାର ରାତି ୧୦ଟା ବେଳେ ଟ୍ରେନଟି ଦୁର୍ଘଟଣା ହେବାପରେ ଏହାର ବଗି ରେଳଧାରଣା ଉପରେ ଏଣେ ତେଣେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଦୁର୍ଘଟଣାବେଳେ ଟ୍ରେନଟି ୧୨୫ କିଲୋମିଟର ବେଗରେ ଗତି କରୁଥିଲା। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ପ୍ରଶାସନ ଓ ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ଏହାପରେ ଘଟଣାସ୍ଥଳକୁ ତୁରନ୍ତ ଅମ୍ବୁଲାନ୍ସ ଓ ଡାକ୍ତରୀ ଦଳକୁ ପଠାଯାଇଥିଲା। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯାତ୍ରାମାନଙ୍କୁ ତୁରନ୍ତ ପାଟନାସ୍ଥିତ ଏମ୍ସ ପଠାଇ ଦିଆଯାଇଛି। ଏହାସହ ଅନ୍ୟ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରଏ ଭର୍ତ୍ତି କରାଯାଇଛି।

ଏବେ ଉଦ୍ଧାରକାର୍ଯ୍ୟ ଶେଷ ହୋଇଥିବାବେଳେ ଦୁର୍ଘଟଣାଗ୍ରସ୍ତ ବଗିଗୁଡ଼ିକୁ ରେଳ ଧାରଣାରୁ ବାହାରକୁ ନିଆଯାଉଛି। ତେବେ ଦୁର୍ଘଟଣାକୁ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାର ଯାଞ୍ଚ ପାଇଁ ଏକ କମିଟି ଗଠନ ହେବ ବୋଲି ସେ ଘୋଷଣା କରିଛନ୍ତି।

ସେହିପରି ଏହି ଦୁର୍ଘଟଣାରଏ ପ୍ରାଣହରାଇ ଥିବା ଯାତ୍ରୀଙ୍କ ପରିବାର ପାଇଁ ୧୦ ଲକ୍ଷ୍ୟ ଟଙ୍କାର ଅନୁକମ୍ପା ରାଶି ଦିଆଯିବ ବୋଲି ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।  

ଦୁର୍ଘଟଣାଗ୍ରସ୍ତ ହୋଇଥିବା ୧୨୫୦୬ ନର୍ଥ ଇଷ୍ଟ୍‌ ଏକ୍ସପ୍ରେସ ମଙ୍ଗଳବାର ସକାଳ ୭ଟା ୪୦ରେ ନୂଆଦିଲ୍ଲୀର ଅନନ୍ଦବିହାର ଟର୍ମିନାଲରୁ ଆସାମର କାମାକ୍ଷା ଷ୍ଟେସନକୁ ଯାତ୍ରା ଆରମ୍ଭ କରିଥିଲା। ୨୩ ବଗି ବିଶିଷ୍ଟ ଏହି ଟ୍ରେନରେ ହଜାରେରୁ ଅଧିକ ଲୋକ ଯାତ୍ରା କରୁଥିଲେ।   

Tags: #TrainAccident #NorthEastExpress #TrainDerailment #Buxar #Bihar #IndianRailways

Comment