ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବା ସମୟରେ ପୋଷାକ ପରିଧାନରେ ଶାଳୀନତା ଆଣିବା ଲାଗି ଅକ୍ଟୋବର ୯ ତାରିଖରେ ନୀତି ସବ୍ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ କିପରି ପୋଷାକ ପରିଧାନ କରିବେ ସେ ନେଇ ଭକ୍ତମାନଙ୍କୁ ସଚେତନ କରିବା ଲାଗି ସମସ୍ତ ଛତିଶାନିଯୋଗ ଏବଂ ହୋଟେଲ ଆସୋସିଏସନକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ପ୍ରଶାସନ।

ଚିଠିରେ କୁହାଯାଇଛି ସେବାୟତମାନେ ବହୁ କାଳରୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହିମାର ପ୍ରଚାର ପ୍ରସାର କରିଆସୁଛନ୍ତି। ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ସେମାନଙ୍କ ମାଧ୍ୟମରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଉଛନ୍ତି। ଏହି ଦୃଷ୍ଟିରୁ ସଚେତନ କାମରେ ସେବାୟତମାନେ ସହଯୋଗ କରିବା ଆବଶ୍ୟକ।

ସେହିପରି ହୋଟେଲ ଆସୋସିଏସନକୁ କୁହାଯାଇଛି ଯେଉଁ ଶ୍ରଦ୍ଧାଳୁମାନେ ହୋଟେଲରେ ରହୁଛନ୍ତି ସେମାନଙ୍କୁ ହୋଟେଲ କର୍ମଚାରୀ, ଟୁରିଷ୍ଟ ଗାଇଡଙ୍କ ଜରିଆରେ ପୋଷାକ କଟକଣା ସମ୍ପର୍କ ସଚେତନ କରାଇବେ।

ଚିଠିରେ ଆହୁରି ଦର୍ଶାଯାଇଛି ଯେ, ପୁରୁଷମାନେ ଫୁଲ୍ ପ୍ୟାଣ୍ଟ, ସାର୍ଟ, ଚୁଡିଦାର-ପଞ୍ଜାବୀ, ଧୋତି ଆଦି ପାରମ୍ପରିକ ପୋଷାକ ପରିଧାନ କରିପାରିବେ। ମହିଳାମାନେ ଶାଢ଼ି, ସାଲୱାର, କମିଜ ପରିଧାନ କରିଥିଲେ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏହି ନିୟମକୁ ଆସନ୍ତା ବର୍ଷ ଜାନୁଆରି ପହିଲାଠାରୁ କଡ଼ାକଡ଼ି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Tags:  #Puri #srimandir #SriJagannath #Dresscode #decentdress #devotees #SriJagannathtempleadministration

Comment