ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା ଉପରୁ ହଟି ପାରୁନି ପରଦା। ମୃତ୍ୟୁର ୨୮ ଦିନ ପରେ ମଧ୍ୟ ସତ ଖୋଜିବାକୁ ପ୍ରୟାସ ଜାରି ରଖିଛି ପୋଲିସ।

ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲାରେ ହୋଟେଲ ଅନୁରାଗର ମ୍ୟାନେଜର ସହ ମୋଟ ୧୪ ଜଣଙ୍କୁ ଜେରା କରିସାରିଲେଣି ତଦନ୍ତକାରୀ ଅଧିକାରୀ ବନୀତା ମାଝି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ମୃତ୍ୟୁ ପୂର୍ବରୁ ସୁସ୍ମିତା ମିଞ୍ଜ ରହିଥିବା ହୋଟେଲ ଅନୁରାଗର ସିସିଟିଭିର ସମସ୍ତ ଡାଟା ଡିଲିଟ୍ ହୋଇଯାଇଛି। ତଦନ୍ତ ସମୟରେ ଏହା ଜଣାପଡ଼ିବା ପରେ ଡାଟା ରିକଭରି ପାଇଁ ପ୍ରୋସେସିଂ ଚାଲିଛି। ଏହି ଡାଟା ଆଧାରରେ ସୁସ୍ମିତାଙ୍କ ମୃତ୍ୟୁ ସମ୍ପର୍କରେ ସୁରାକ ମିଳିବ ବୋଲି ଆଶା ରଖିଛି ପୋଲିସ।

ମୃତ୍ୟୁ ପୂର୍ବରୁ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଗୋଟିଏ ଦିନରେ ଦୁଇଟି ହୋଟେଲ ବୁକ୍ କରିଥିଲେ। ଗୋଟିଏ ରାଧିକା ରିଜେନ୍ସି ଓ ଅନ୍ୟଟି ହୋଟେଲ ଅନୁରାଗ। ଉଭୟ ହୋଟେଲକୁ ସୁସ୍ମିତା ଯାଇଥିବା ରେଜିଷ୍ଟରରୁ ଜଣାପଡ଼ିଥିବା କହିଛନ୍ତି ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର।

ଗତ ସେପ୍ଟେମ୍ବର ୧୯ ତାରିଖରେ ରାଉରକେଲା ସେନସରୀ ପାର୍କରେ ଥିବା ପୋଖରିରୁ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ମାମଲାର ସିବିଆଇ ତଦନ୍ତ କରିବାକୁ ମୃତ ସୁସ୍ମିତାଙ୍କ ପରିବାର, ଜିଲ୍ଲା ଆଦିବାସୀ ମଞ୍ଚ, କଂଗ୍ରେସ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦାବି ହୋଇଆସୁଛି।

Tags: #Rourkela #AssistantCollectorSusmitaMinz #deathCase #JMM #Protest #demandCBIInvestigation #HotelCctvdatadeleted

Comment