ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଉଗ୍ରରୂପ ନେବାରେ ଲାଗିଛି। ଗାଜାରେ ହମାସ ଆତଙ୍କବାଦୀଙ୍କ ଠିକଣାକୁ ଧ୍ୱସ୍ତ କରିବା ସହ ଏବେ ଲେବାନନରେ ଥିବା ହେଜବୋଲ୍ଲା ଆତଙ୍କବାଦୀଙ୍କୁ ଟାର୍ଗେଟ କରିଛି ଇସ୍ରାଏଲ। ସୋମବାର ରାତିରେ ଇସ୍ରାଏଲ ପକ୍ଷରୁ ଦକ୍ଷିଣ ଲେବାନନରେ ହେଜବୋଲ୍ଲାର ଏକାଧିକ ଆଡ୍ଡା ଉପରେ ବୋମା ବର୍ଷାଇଛି।

ଲେବାନନରେ ଏହି ଏୟାରଷ୍ଟ୍ରାଇକରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହାପରେ ଇସ୍ରାଏଲ ଉପରେ ଆକ୍ରମଣକୁ ଜୋରଦାର କରିବାକୁ ହେଜବୋଲ୍ଲା ପକ୍ଷରୁ ଚେତାବନୀ ଦିଆଯାଇଛି।

ଅନ୍ୟପଟେ ଇସ୍ରାଏଲ ସେନା ଏବେ ଗାଜାକୁ ପୁଣି ନିଜ କବ୍ଜାକୁ ନେବାକୁ ଯୋଜନା କରିଛି। ଗାଜାରେ ପ୍ରବେଶ କରି ବଡ଼ଧରଣର ସୈନ୍ୟ ଅପରେସନ ପାଇଁ ଇସ୍ରାଏଲ ସେନା ଏବେ ପ୍ରସ୍ତୁତ ହେଉଛି। ଏଥିପାଇଁ ଗାଜାର ସୀମାରେ ଅନେକ ମାତ୍ରାରେ ସୈନ୍ୟଙ୍କ ସହ ଟ୍ୟାଙ୍କ, ତୋପ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ଠୁଳ କରିବାରେ ଲାଗିଛି ଇସ୍ରାଏଲ।

ଅନ୍ୟପଟେ ଏହି ଯୁଦ୍ଧରେ ଗାଜାରେ ଅତ୍ୟନ୍ତ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି। ସେଠାକାର ହସ୍ପିଟାଲଗୁଡ଼ିକରେ ଯୁଦ୍ଧ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନେକ ହସ୍ପିଟାଲରେ ଆବଶ୍ୟକୀୟ ଔଷଧ ଶେଷ ହୋଇ ଆସିଲାଣି। ଏହାସହ ଜଳ ଓ ଖାଦ୍ୟ ସଙ୍କଟ ଗାଜାବାସୀ ପରିସ୍ଥିତିକୁ ଆହୁରି ଦୁର୍ବିଷହ  କରିଦେଇଛି।

ଏହି ଯୁଦ୍ଧରେ ଇସ୍ରାଏଲର ଆକ୍ରମଣରେ ଗାଜାରେ ଏ ଯାଏଁ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏହାସହ ଅନେକ ଲୋକ ଏଥିରେ ଆହତ ହୋଇଛନ୍ତି। ଅନ୍ୟପଟେ ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁଁ ଏବେ ସୁଦ୍ଧା ଇସ୍ରାଏଲରେ ମୃତକଙ୍କ ସଂଖ୍ୟା ୧୪୦୦ ପାର କରିଛି।

Tags: #Israel-HamasWar #TerroristAttack #Israel #Hezbollah #Lebanon    

   

LEAVE A REPLY

Please enter your comment!
Please enter your name here