ଓଡ଼ିଶାଲାଇଭ୍ ବ୍ୟୁରୋ
![](https://odisha.live/wp-content/uploads/2024/12/Israeli-airstrike-in-Syria-768x432-1.jpg)
ଅଶାନ୍ତ ସିରିୟାରୁ ପୁଣି ଆସିଛି ଚିନ୍ତାଜନକ ଖବର। ରାଷ୍ଟ୍ରପତି ବଶର ଅଲ୍ ଅସଦ ପଦଚ୍ୟୁତ ହେବା ପରେ ଏବେ ବିଦ୍ରୋହୀଙ୍କ କବ୍ଜାରେ ସିରିୟା। ଅସଦ ଦେଶ ଛାଡ଼ି ପଳାଇବା ପରେ ଆମେରିକା ଓ ତୁର୍କି ସିରିୟାକୁ ନେଇ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି। ତେବେ ସିରିୟାକୁ ନେଇ ଆକ୍ରମଣାତ୍ମକ ହୋଇପଡ଼ିଛି ଇସ୍ରାଏଲ। ସିରିୟାର ସାମରିକ ଆଡ୍ଡା ଉପରେ ଘନଘନ ଆକ୍ରମଣ କରୁଛି।
ଇସ୍ରାଏଲ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି, ସେମାନେ ଗତ ୪୮ ଘଣ୍ଟା ମଧ୍ୟରେ ସିରିୟାରେ ୪୮୦ରୁ ଅଧିକ ଏୟାର ଷ୍ଟ୍ରାଇକ କରିଛନ୍ତି। ସିରିୟାର ଅନେକ ସହରରେ ଅସ୍ତ୍ର ଡିପୋ ଏବଂ ଅସ୍ତ୍ର କାରଖାନା ଉପରେ ଜୋରଦାର ଆକ୍ରମଣ ହୋଇଛି। ସିରିୟା ସେନାର ଅସ୍ତ୍ରଶସ୍ତ୍ର ସବୁ ବିଦ୍ରୋହୀଙ୍କ ହାତରେ ପଡ଼ିବା ପୂର୍ବରୁ ଏହାକୁ ଧ୍ଵଂସ କରିବାରେ ଲାଗିଛି ଇସ୍ରାଏଲ।
ଇସ୍ରାଏଲର ବାୟୁସେନା ସିରିୟାର ଅସ୍ତ୍ର ଭଣ୍ଡାର ଉପରେ ୩୫୦ଟି ଆକ୍ରମଣ କରିଛି। ଦମାସ୍କସ, ହୋମ୍ସ, ଟାର୍ଟସ, ଲଟାକିୟା ଏବଂ ପଲ୍ମାୟରା ଉପରେ ବଡ଼ ଧରଣର ଆକ୍ରମଣ କରାଯାଇଛି। ଏହି ସବୁ ସ୍ଥାନର ସାମରିକ ଆଡ୍ଡାରେ ଥିବା ଆଣ୍ଟି ଏୟାରକ୍ରାଫ୍ଟ ବ୍ୟାଟେରୀ, ମିସାଇଲ, ଡ୍ରୋନ, ଫାଇଟର ଜେଟ୍ ଏବଂ ଟ୍ୟାଙ୍କକୁ ନଷ୍ଟ କରି ଦିଆଯାଇଛି। ଏଥିସହିତ ଗ୍ରାଉଣ୍ଡ ଅପରେଶନସ ସହତ ଅତିରିକ୍ତ ୧୩୦ ଏୟାରଷ୍ଟ୍ରାଇକ ହୋଇଛି।
ସିରିୟା ଉପରେ ଏହି ଆକ୍ରମଣର ନାଁ ‘ବଶାନ ଆରୋ’ ଦେଇଛି ଇସ୍ରାଏଲ। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, “ଇସ୍ରାଏଲ ସେନା ସିରିୟାର ନୌସେନାକୁ ପୁରା ନଷ୍ଟ କରି ଦେଇଛି। ଅସଦଙ୍କ ୮୦ ପ୍ରତିଶତ ସ୍ଥଳ ଓ ବାୟୁ ସେନା ଆଡ୍ଡା ଧ୍ଵଂସ ହୋଇଥିବା ଅନୁମାନ କରାଯାଉଛି।”
ଅନ୍ୟପକ୍ଷେ ଅସଦ ସରକାରଙ୍କ ପତନ ଘଟିବା ପରେ ପରେ ହଜାର ହଜାର ସିରିୟା ସୈନିକ ଏବେ ଇରାକ ସୀମାରେ ପହଞ୍ଚି ଯାଇଛନ୍ତି। ଇରାକ ସୁରକ୍ଷାବଳ ସେମାନଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଏବଂ ସହାୟତା ଯୋଗାଇ ଦେଉଛନ୍ତି। ଏଥିସହିତ ସିରିୟା ସୀମାକୁ ଲାଗିଥିବା ଅଞ୍ଚଳରେ ଇରାକ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦେଇଛି।
ସିରିୟାରୁ ସୁରକ୍ଷିତ ଫେରିଲେ ୭୫ ଭାରତୀୟ
ଅନ୍ୟପଟେ ସିରିୟାର ଜଟିଳ ସ୍ଥିତିକୁ ଦେଖି ସେଠାରେ ଥିବା ଭାରତୀୟଙ୍କୁ ଉଦ୍ଧାର କରି ଫେରାଇ ଆଣିବା ପାଇଁ ଲାଗିପଡ଼ିଛି ଭାରତ। ଇତି ମଧ୍ୟରେ ୭୫ ଜଣ ଭାରତୀୟଙ୍କୁ ସେଠାରୁ ଏୟାରଲିଫ୍ଟ କରାଯାଇଛି। ଲେବାନନ ରାସ୍ତା ଦେଇ ସେମାନେ ଫେରି ଆସିଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଅନ୍ୟମାନଙ୍କୁ ଭାରତୀୟ ଦୂତାବାସ ସହ ସମ୍ପର୍କରେ ରହିବା ଲାଗି ପରାମର୍ଶ ଦିଆଯାଇଛି।
Tags: #SyrianCivilWar #AirStrike #Rebels #Israel #Syria