ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅକ୍ଟୋବର ୨୦ରୁ ୨୫ ପର୍ଯ୍ୟନ୍ତ ରାଜଧାନୀ ହେବ ପୋଲିସ ଛାଉଣୀ
  • ସୁରକ୍ଷା ପାଇଁ ନିୟୋଜିତ ହେବେ ୩୧ ପ୍ଲାଟୁନ ପୋଲିସ ଫୋର୍ସ
  • ଦାୟିତ୍ଵରେ ରହିବେ ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି ଏବଂ ୪୧ ଜଣ ଇନ୍ସପେକ୍ଟର

ଦଶହରା ପୂଜା ପାଇଁ ରାଜଧାନୀ ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରିଛି କମିଶନରରେଟ ପୋଲିସ। ଏଥର ପାର୍ବଣ ସମୟରେ ରାଜଧାନୀରେ ସୁରକ୍ଷା ଦାୟିତ୍ଵରେ ରହିବେ ୩୧ ପ୍ଲାଟୁନ ପୋଲିସ ଫୋର୍ସ।

ଭୁବନେଶ୍ଵରରେ ଆୟୋଜିତ ୧୮୮ଟି ପୂଜାମଣ୍ଡପ ନିକଟରେ ପୋଲିସ ନିୟୋଜିତ ରହିବେ। ପୂଜା ମଣ୍ଡପଗୁଡ଼ିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ଅକ୍ଟୋବର ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ପୋଲିସ ଛାଉଣୀ ହେବ ରାଜଧାନୀ ଭୁବନେଶ୍ଵର। ଏହି ସମୟରେ ଟ୍ରାଫିକ କଟକଣା ସହ ଚେକିଂ ମଧ୍ୟ କଡ଼ାକଡ଼ି କରାଯିବ।

ସୁରକ୍ଷା ବ୍ୟବସ୍ଥା ଲାଗି ୬ଟି ସ୍ଥାନରେ କଣ୍ଟ୍ରୋଲ ରୁମ କରିଛି କମିଶନରେଟ ପୋଲିସ। ବଟି ଓ ଚାନ୍ଦା ରୋକିବା ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଭୁବନେଶ୍ୱର ଡିସିପିଙ୍କ ୨୪ ଘଣ୍ଟିଆ ଅନୁଧ୍ୟାନରେ ରହିବ।

ରାଜଧାନୀର ସୁରକ୍ଷା ଦାୟିତ୍ଵରେ ରହିବେ ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି ଏବଂ ୪୧ ଜଣ ଇନ୍ସପେକ୍ଟର। ଏହା ସହ ୧୫୧ ଜଣ ଏଏସଆଇ, ୧୧୯ ଜଣ ଟ୍ରାଫିକ କନଷ୍ଟେବଳ, ୭୦ ଜଣ ଏପିଆର କନଷ୍ଟେବଳ ଓ ୨୦୭ ଜଣ ଓଏପିଏଫ କନଷ୍ଟେବଳ ନିୟୋଜିତ ହେବେ।

ସହରର ସବୁ ଛକ ଓ ଗଳିକନ୍ଦି ସିସିଟିଭି ନଜରରେ ରହିବ। ପୂଜା ଦେଖିବାକୁ ଯିବା ସମୟରେ ସତର୍କ ରହିବା ସହ ନିଜ ଘରର ସୁରକ୍ଷା ପ୍ରତି ସଚେତନ ରହିବାକୁ କମିଶନରେଟ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

Tags: #Bhubaneswar #Durgapuja #Tightpolicesecurityinbhubaneswar #Celebration #Pujapendal

Comment