ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ଓଡ଼ିଶା ସରକାର। ଏଥିରେ ବିଶେଷକରି ଜଳସେଚନ, ସଘନ କୃଷି ଉପରେ ସରକାର ଅଧିକ ଗୁରୁତ୍ଵ ଦେଇଛନ୍ତି। ଭୁବନେଶ୍ଵର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ଓଡ଼ିଶାର ୫ଟି ଜିଲ୍ଲା ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳରେ ୩୩ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିପାଇଁ ୧୮୬୬ କୋଟି ୯୯ ଲକ୍ଷ ୫୩ ହଜାର ଟଙ୍କା ଖର୍ଚ୍ଚ ହେବ। ଆସନ୍ତା ୩ ବର୍ଷରେ ଏହି ପ୍ରକଳ୍ପ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି।

କ୍ୟବିନେଟରେ ସଘନ କୃଷି କାର୍ଯ୍ୟକ୍ରମ ସହ ବିଲୁପ୍ତ ପ୍ରାୟ ଫସଲର ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ୪୮୧ କୋଟି ୯୪ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି। ଆଗାମୀ ୫ ବର୍ଷରେ ଏହାକୁ ବୈଜ୍ଞାନିକ ଓ ପ୍ରଗତିଶୀଳ ଉପାୟରେ କାର୍ଯ୍ୟକାରୀ କରାଯିବ।

ଏହାଦ୍ଵାରା ଡାଲି, ତୈଳବୀଜ, କପା, ଝୋଟ ଓ ମକା ଫସଲର ଉତ୍ପାଦନ ବୃଦ୍ଧି ହେବ। ରାଜ୍ୟରେ ମକା ଉତ୍ପାଦନକୁ ବୃଦ୍ଧି କରିବାକୁ ନୂତନ ଭାବେ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ ମକା ମିଶନ’କୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।

ସେହିପରି ରାଜ୍ୟରେ ସାର ସଂଗ୍ରହ ଓ ସାର ମହଜୁଦ ରଖିବା ପାଇଁ ବାର୍ଷିକ କର୍ପସ ପାଣ୍ଠିକୁ ୧୦୦ କୋଟିରୁ ୧୫୦ କୋଟିକୁ ବୃଦ୍ଧି କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସମୁଦାୟ ଆବଶ୍ୟକତାର ୫୦ ପ୍ରତିଶତ ସାର ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ଜରିଆରେ ପ୍ରତିବର୍ଷ ଆଗୁଆ ମହଜୁଦ ରଖିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଅନ୍ୟପଟେ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ୨୩ଟି ଜିଲ୍ଲାରେ ୫୫ଟି ବ୍ଲକସ୍ତରୀୟ ବସଷ୍ଟାଣ୍ଡର ନିର୍ମାଣ ଓ ନବୀକରଣ କରାଯିବାନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ବସଷ୍ଟାଣ୍ଡର ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ପାଇଁ ୩୭୩ କୋଟି ୧୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି।

ଓଡ଼ିଶାରେ ସ୍ଵତନ୍ତ୍ର ସଂଗ୍ରହାଳୟ, ପ୍ରତ୍ନତତ୍ତ୍ଵ ଓ ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ ଗଠନ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏହାଦ୍ଵାରା ରାଜ୍ୟର ଐତିହାସିକ କଳା କୀର୍ତ୍ତିରାଜିର ସଂରକ୍ଷଣ ଓ ପ୍ରସାରକୁ ବ୍ୟାପକ କରିବାକୁ ଯୋଜନା ରଖାଯାଇଛି। ସେହିପରି ମୁଣ୍ଡାରୀ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ନେଇ ବୈଠକରେ ସୁପାରିସ କରାଯାଇଛି।    

Tags: #CabinetMeeting #Govtproposals #StateCabinet #CMNaveenPatnaik #Odisha

Comment